ଅଭିଭାବକ ଦେଇଥିଲେ ୫ ଦିନର ମହଲତ l ହେଲେ ସମସ୍ୟା ସୁଧୁରିଲାନି l ପିଲାଙ୍କୁ ସଠିକ ଭାବେ ଖାଦ୍ୟ ଦିଆଗଲାନି କି ଶିକ୍ଷକ ନିଯୁକ୍ତି ମଧ୍ୟ ହେଲେନି l ତେଣୁ ବାଧ୍ୟ ହୋଇ ନିଜ ନିଜ ଦିବ୍ୟାଙ୍ଗ ପିଲାଙ୍କୁ ବିଦ୍ୟାଳୟରୁ ନେଇଗଲେ ଅଭିଭାବକ l ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲା ମୋହନା ଠାରେ ଥିବା ଜିଲ୍ଲାର ଏକ ମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ l ସମସ୍ୟାର ସମାଧାନ ନ ହେବାରୁ ନିର୍ବାଚିତ ଜନପ୍ରତିନିଧି, ଅବିଭାବକ କିଛି ଛାତ୍ରଛାତ୍ରୀଙ୍କୁ ନେଇ ଚ଼ଳିତ ମାସ ୩ ତାରିଖରେ ପାରଳାଖେମୁଣ୍ଡି ଯାଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ହୋଇ ବିଦ୍ୟାଳୟରେ ଚାଲିଥିବା ଦୁର୍ନିତି ଓ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ସଂପର୍କରେ ଲିଖିତ ଓ ମୌଖିକ ଭାବେ ଅଭିଯୋଗ କରିଥିଲେ।
ଜିଲ୍ଲାପାଳ ବିଜୟ କୁମାର ଦାଶ ସମସ୍ତ ଘଟଣା ବିଷୟରେ ଅବଗତ ହେବା ପରେ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଅବିଭାବକ, ବିଦ୍ୟାର୍ଥୀ, ନିର୍ବାଚ଼ିତ ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ସମସ୍ତ ଘଟଣା ଶୁଣିଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ନଥିବାରୁ ସମସ୍ୟାର ସମାଧାନ ହୋଇପାରିନଥିଲା। ସମ୍ପାଦକ କମିଟି ସଦସ୍ୟମାନଙ୍କ ସହ କଥା ହୋଇ ଆସନ୍ତା ୨୫ରେ ବୈଠକ କରିବା ପାଇଁ ସ୍ଥିର ହୋଇଥିଲା।କିନ୍ତୁ ଅବିଭାବକ ଓ ନିର୍ବାଚିତ ଜନପ୍ରତିନିଧି ମାନେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପୂର୍ବତନ ବିଧାୟକ ବାସନ୍ତୀ ମଲ୍ଲିକ ଓ ସମ୍ପାଦକ ଦଣ୍ଡାସି ସାହୁଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ ଅଡ଼ି ବସିଥିଲେ। ଅଧିକାରୀମାନେ ବୁଝାସୁଝା କରିବା ପରେ ସମସ୍ତେ ଶାନ୍ତ ପଡ଼ିଥିଲେ। ୨୫ରେ ଜଣାପଡିବ ବିଦ୍ୟାଳୟ ଓ ବିଦ୍ୟାର୍ଥୀଙ୍କ ଭବିଷ୍ୟତ । ସେହି ଦିନକୁ ଅପେକ୍ଷା କରିଛନ୍ତିି ଅଞ୍ଚଳବାସୀ ।ଏନେଇ ବିଦ୍ୟାଳୟ ସମ୍ପାଦକ ଦଣ୍ଡlସି ସାହୁଙ୍କୁ ପଚାରିବାରୁ ପିଲାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି ଏବଂ ଅତିଶୀଘ୍ର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି l କମିଟିର କିଛି ସଦସ୍ୟ ବିଦ୍ୟାଳୟରେ କଣ ହେଉଛି କଣ ନାହିଁ ସେମାନେ କିଛି ଜାଣି ନଥିବା କହିଛନ୍ତି। ବିଦ୍ୟାଳୟ ଅପରପକ୍ଷେ ଜିଲ୍ଲାପାଳ ବିଜୟ କୁମାର ଦାଶ କହିଛନ୍ତି ବିଦ୍ୟାଳୟର ସମସ୍ୟା ସଂପର୍କରେ ଅବଗତ ହେଲି ଓ ଯଥା ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି କିଛି ଦିନ ମଧ୍ୟରେ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବି।ଅପରପକ୍ଷେ ଅଧିକାରୀମାନେ ବିଦ୍ୟାଳୟର ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି। ଏଣୁ ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବି ଦାବି କରିଛନ୍ତି।