କାହିଁକି ହାରିଲା ବିଜେଡି ? 24 ରେ ବିଜେଡି ସରକାର ଆସିବ ନାହିଁ ବୋଲି ଆଗରୁ ଜାଣିଥିଲେ କି ନେତା ? ହଁ ଆଜ୍ଞା ନିର୍ବାଚନର ସାତମାସ ପରେ ପୁଣିଥରେ ବିଜେଡିର ପରାଜୟକୁ ନେଇ ହେଲା ଚର୍ଚ୍ଚା । ମୁହଁ ଖୋଲିଲେ ନୟାଗଡ ବିଧାୟକ ଅରୁଣ ସାହୁ । ଗୋଟି ଗୋଟି କରି ଖୋଲି କହିଲେ ସବୁ ସତ । କହିଛନ୍ତି ମୁଁ ଜାଣିଥିଲି ଏଥର ସରକାର ଆସିବନି,ଦଳ ଭିତରେ ପରସ୍ପର ମଧ୍ୟରେ ଏକ ପ୍ରକାର କନ୍ଦଳ ସୃଷ୍ଟି ହୋଇଥିଲା ଖାଲି ସେତିକି ନୁହେଁ ବରଂ ଦୀର୍ଘ 24 ବର୍ଷ ଧରି ସରକାରରେ ରହିବା ଯୋଗୁଁ ନେତାଙ୍କ ମଧ୍ୟରେ ଅହଙ୍କାର ବଢିଯାଇଥିଲା ବୋଲି କହିଛନ୍ତି ଅରୁଣ । ରାୟଗଡା ଜିଲ୍ଲା ଗସ୍ତ କରି ବିଜେଡିର ଜିଲ୍ଲା କାର୍ଯ୍ୟାଳୟରେ ନିଜ ଦଳର କର୍ମୀଙ୍କ ଆଗରେ ଦଳର ହାରିବା ଉପରେ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ଅରୁଣ ସାହୁ ।
ଗତ ନିର୍ବାଚନରେ ନୟାଗଡ ନିର୍ବାଚନ ମଣ୍ଡଳୀରୁ ଖୁବ କମ ମାର୍ଜିନୀରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଅରୁଣ ସାହୁ । ଲଗାତାର ଭାବେ ବିଧାୟକ ହୋଇ ଆସୁଥିବା ଅରୁଣଙ୍କ ଗାଦି ଚଳିତ ଥର ଟଳମଳ ଥିଲା ବୋଲି ନିଜେ ସ୍ୱୀକାର କରିଛନ୍ତି । ଦଳୀୟ କନ୍ଦଳ ସୀମା ପାର କରାଯାଇଥିଲା ଯେଉଁଥିପାଇଁ ଦଳର ପରାଜୟ ହେଲା ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ଅରୁଣ କହିଛନ୍ତି କେହି ଦଳ ଛାଡି ଚାଲିଗଲେ କିଛି ଫରକ ପଡିବନି । କେବଳ ଏତିକି ନୁହେଁ ବରଂ ବର୍ତ୍ତମାନର ସରକାରୀ ଦଳକୁ ଟାର୍ଗେଟ କରି ମୁହଁ ଖୋଲିଥିଲେ ଅରୁଣ ।
ତେବେ ଚର୍ଚ୍ଚା ହଠାତ ଦଳ ବିରୁଦ୍ଧରେ ଏପରି କାହିଁକି କହିଲେ ଅରୁଣ । ସାତମାସ ପରେ ଅରୁଣଙ୍କର କାହିଁକି ମନେପଡିଲା ପରାଜୟ କଥା । ବିଧାନସଭାରେ ସରକାରୀ ଦଳକୁ ଘେରିବାରେ ନବୀନଙ୍କ ଅମୋଘ ଅସ୍ତ୍ର ସାଜିଛନ୍ତି ନୟାଗଡ ବିଧାୟକ । ନବୀନ ଦେଇଥିବା ଗୁରୁମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଆଗାମୀ ଫେବ୍ରୃୟାରୀ 13 ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ହଠାତ ଅରୁଣଙ୍କ ଏ ଦଳ ବିରୋଧି ମନ୍ତବ୍ୟ ପୁଣିଥରେ ବିଜେଡି ଓ ବିଜେଡି ସୁପ୍ରିମୋଙ୍କୁ ଚର୍ଚ୍ଚାକୁ ଟାଣିଛି ।