ଆଇନ ମନ୍ତ୍ରୀଙ୍କୁ ଆଉ କେତେ ଘୋଡାଇବେ ମୋହନ ?

ଆଇନ ମନ୍ତ୍ରୀଙ୍କୁ ଆଉ କେତେ ଘୋଡାଇବେ ମୋହନ ?

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ନେଇ ପୁଣି ଚର୍ଚ୍ଚା ଚାଲିଛି । ରାଜ୍ୟରେ ଆଇନ ବିଶୃଙ୍ଖଳା ବଢି ବଢି ଚାଲିଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଖାସ କରି ରାଜଧାନୀରେ ଆଇନ ବ୍ୟବସ୍ଥା କେତେ ଶୃଙ୍ଖଳିତ ତାହା ନ କହିବା ଭଲ । କାରଣ କେଉଁଠି ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ ମିତ୍ରଙ୍କୁ ବିଭତ୍ସ୍ୟ ହତ୍ୟା କରାଯାଉଛି ତ ଆଉ କେତେବେଳେ ଜଣେ ବରିଷ୍ଠ ନେତାଙ୍କ ଘରେ ଚୋରି ହେଉଥିବାର ଖବର ସାମ୍ନାକୁ ଆସୁଛି । ଏପରିକି ରାଜଧାନୀରେ ପ୍ରତିଦିନ ଚୋରୀ, ଡକାୟତି, ହତ୍ୟା ହେବା ତ ସାଧାରଣ କଥା ହୋଇଗଲାଣି । କିନ୍ତୁ ସରକାର ନିଦା ବିଷ୍ଣୁ । ବିଜେପି ସରକାରକୁ ଆସିବା ପରେ ଡବଲ ଇଞ୍ଜିନ ସରକାରରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ସହ, ଅପରାଧୀଙ୍କୁ କଡା ଦଣ୍ଡ ଦିଆଯିବ, କେହି ଜଣେ ବି ଅପରାଧୀ ଖସିଯିବେନି ବୋଲି ବଡ ବଡ ବୟାନ ଦେଉଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏପରିକି ଆଇନ ବ୍ୟବସ୍ଥା ଆହୁରି ଶସକ୍ତ ହେବା ନେଇ ମତ ପ୍ରକାଶ ପାଉଥିଲା । କିନ୍ତୁ ୭ ମାସ ସରକାରରେ ଆଇନ ବ୍ୟବସ୍ଥା ଏତେ ବିପର୍ଯ୍ୟସ୍ତ ହୋଇଗଲାଣି ଯେ, ସାଧାରଣ ଲୋକେ ଡରି ଡରି ରହୁଥିବା କୁହାଯାଉଛି । କିନ୍ତୁ ଆଇନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ନଦେଇ ଓଲଟା ୨୪ ବର୍ଷରେ କଣ କଣ ଘଟିଛି ସେ ସମ୍ପର୍କରେ ଗଣମାଧ୍ୟମରେ ବୟାନ ଦେଉଥିବା ନଜର ଆସୁଛନ୍ତି ।

ତେବେ ଏହା ପୂର୍ବରୁ ମଧ୍ୟ ଆଇନ ବ୍ୟବସ୍ଥାକୁ ନେଇ ଯେଉଁ ଯେଉଁ ଘଟଣା ସାମ୍ନାକୁ ଆସିଥିଲା, ସେ ଏସଓଙ୍କୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର ମାଡ ମାରିବା ଘଟଣା ହେଉ ବା ବଡ ଠାକୁର ପଡିବା ଘଟଣା ହେଉ ବା ମହିଳାଙ୍କୁ ନିର୍ଯ୍ୟାତନା ଦେବା ଘଟଣାରେ ହେଉ ସବୁ ପ୍ରସଙ୍ଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଆଇନ ମନ୍ତ୍ରୀ ବୟାନ ଦେଇଚାଲିଛନ୍ତି । କିନ୍ତୁ କୌଣସି ଘଟଣାରେ ଏଯାଏଁ ନିଷ୍କର୍ଷ ବାହାରୁଥିବା କିମ୍ବା ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉଥିବା ଖବର ସାମ୍ନାକୁ ଆସୁନି । ଆଉ ଏଥିରୁ ଆଇନ ମନ୍ତ୍ରୀଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହ ବିଭାଗ ଦାୟିତ୍ୱରେ ଥିବା ବେଳେ ସେ ମଧ୍ୟ ଏ ସବୁ ଦେଖି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଥିବା ଏବଂ ଆଇନ ମନ୍ତ୍ରୀଙ୍କୁ ଘୋଡାଉଥିବା ଚର୍ଚ୍ଚା ଚାଲିଛି । ଆଉ ଏହାକୁ ନେଇ ମୋହନ ସରକାର ଆଗକୁ ହରଡଘଣାରେ ପଡିପାରେ ବୋଲି ସେଥିରେ ସନ୍ଦେହ ନାହିଁ । ତେବେ ଦେଖାଯାଉ ଆଇନ ମନ୍ତ୍ରୀଙ୍କ ପାଇଁ ବିଜେପିକୁ କେଉଁ ମୂଲ୍ୟ ଦେବାକୁ ପଡୁଛି ଏବଂ ଆଇନ ବ୍ୟବସ୍ଥାକୁ ନେଇ ବିରୋଧୀ କେଉଁ ନୂଆ ପ୍ରସଙ୍ଗ ସୃଷ୍ଟି କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *