ଝାଡଖଣ୍ଡରେ ନିର୍ବାଚନ ଚାଲିଥିଲା କିନ୍ତୁ ଏପଟେ ଓଡିଶାରେ ତାତି ବଢୁଥିଲା । କାହିଁକିନା ଓଡିଶା ବିଜେପି ଓ କଂଗ୍ରେସର ମାଳ ମାଳ ନେତା ଯାଇ ଝାଡଖଣ୍ଡରେ ଡେରା ପକାଇଥିଲେ । ଓଡିଶାର ମାଳ ମାଳ ନେତା ପଡୋଶୀ ରାଜ୍ୟରେ ନିଜର ଦବଦବା ଦେଖାଉଥିଲେ। ଝାଡଖଣ୍ଡର ଜାମସେଦପୁର ଆସନ ଯଦି ଆମେ ଦେଖିବା ଏଠାରେ ଚାଲିଥିଲା କାଣ୍ଟେକା ଟକ୍କର । କାହିଁକିନା ଏହି ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ । ତାଙ୍କୁ ଟକ୍କର ଦେଉଥିଲେ ଓଡିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର । ରୋଚକ ମୋଡକୁ ଗତିକରୁଥିବା ଜାମସେଦପୁର ନିର୍ବାଚନ ମଣ୍ଡଳୀରେ ପଛରେ ପଡିଯାଇଛନ୍ତି ଅଜୟ କୁମାର । ଅଜୟ କୁମାରଙ୍କୁ ବୟାଳିଶି ହଜାର ଆଠଶହ ଏକସ୍ତରି ଭୋଟରେ ହରାଇଛନ୍ତି ପୂର୍ଣ୍ଣିମା ସାହୁ ।
ହାରିବା ପରେ ଅଜୟ କୁମାର ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ପରାଜୟର ଖୁବଶୀଘ୍ର ସମୀକ୍ଷା କରାଯିବ ଏବଂ ସେ ଏହି ପରାଜୟକୁ ଗ୍ରହଣ କରିଛନ୍ତି । ତେବେ ଝାଡଖଣ୍ଡର ଏହି ଆସନକୁ ନେଇ ଓଡିଶାରେ ପଡିଛି ପ୍ରଭାବ । ଓଡିଶା କଂଗ୍ରେସର ପ୍ରଭାରୀ ଭାବେ ଅଜୟ କୁମାରଙ୍କର ଯେଉଁ ଦବଦବା ରହିଥିଲା ତାହା ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଫେଲ ମାରିଗଲା । ଓଡିଶା କଂଗ୍ରେସର ପ୍ରଭାରୀ ଭାବେ ଅଜୟଙ୍କ ଭୂମିକା ବିବାଦରେ ରହିଥିଲା କାହିଁକିନା ନିର୍ବାଚନ ସମୟରେ ପାଣ୍ଠି ହେରଫେର ନେଇ ଅଜୟଙ୍କ ନାଁରେ ଅଭିଯୋଗ ହୋଇଥିଲା ।
ଏପଟେ ଓଡିଶାରେ ଅଜୟଙ୍କ ଏପରି କାରନାମା ସେପଟେ ଜାମସେଦପୁରରେ ବିଜେପି ପ୍ରାର୍ଥୀ ପୂର୍ଣ୍ଣିମା ଦାସଙ୍କଠାରୁ ପରାଜୟ ରାଜନୀତିରେ ଅଜୟଙ୍କୁ ଏକପ୍ରକାର ଝଟକା ଦେଇଛି । ଓଡିଶା ରାଜଭବନରେ ବସି ଅଙ୍କ କସିଲେ ରାଜ୍ୟପାଳ ଜାମସେଦପୁରରେ ଚିତପଟାଙ୍ଗ ମାରିଲା ଅଜୟଙ୍କ ଦଳ । ତେବେ ପ୍ରଶ୍ନ ଉଠୁଛି ଏତେ ପରାଜୟ ପରେ କଂଗ୍ରେସରେ ଅଜୟ କୁମାରଙ୍କୁ ଏବେ କେତେ ଗୁରୁତ୍ୱ ମିଳିବ ? ଗୋଟିଏ ପଟେ ବିନା ମୁଖିଆରେ ରାଜ୍ୟ କଂଗ୍ରେସ ନିଷ୍କ୍ରିୟ ହୋଇପଡିଥିବା ବେଳେ ଅଜୟଙ୍କ ପରାଜୟ ଓଡିଶା କଂଗ୍ରେସକୁ ଦେଇଛି ଝଟକା । କାହିଁକିନା ଜଣେ ପରାଜିତ ନେତାଙ୍କୁ କିପରି ଏଆଇସିସି ଓଡିଶା ପ୍ରଭାରୀର ଦାୟିତ୍ୱ ଦେବ ? ଓଡିଶା ମଙ୍ଗ ଧରି କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଆଣିବାରେ ଅଜୟଙ୍କ ଉପରେ ଏବେ ଭରସା କରିବ ତ ଏଆଇସିସି ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ଉଙ୍କି ମାରୁଛି ତେବେ ଆଗକୁ ରାଜନୀତିରେ କେଉଁ ମୋଡ ନେଉଛି ଅଜୟଙ୍କ ଭାଗ୍ୟ ତାହା ଦେଖିବାକୁ ଅପେକ୍ଷା ।