ଆଜିଠୁ ଆରମ୍ଭ ହେଲା ଅସଲ ଲଢେଇ

ଆଜିଠୁ ଆରମ୍ଭ ହେଲା ଅସଲ ଲଢେଇ

ଆଜିଠୁ ଆରମ୍ଭ ହେଲା ଅସଲ ଲଢେଇ । ଆଗକୁ ଆହୁରି ଉଷ୍ମ ହେବ ରାଜ୍ୟ ରାଜନୀତି । ହଁ ଆଜ୍ଞା, ଗତ କିଛି ମାସ ଧରି ବର୍ଷ ଶେଷକୁ ରାଜ୍ୟ ରାଜନୀତିର ମାହୋଲରେ ପରିବର୍ତ୍ତନ ଆସିବ, ବିରୋଧୀ ଏବଂ ଶାସକ ଦଳ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏବେ ଏହି ଚର୍ଚ୍ଚା ସତରେ ପରିଣତ ହେବାକୁ ଯାଉଛି । ଆଜିଠୁ ଶୀତକାଳୀନ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ମୋହନ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧବେଶନ ଆରମ୍ଭ ହୋଇଥିବାରୁ ବିରୋଧୀ ଏଥିପାଇଁ ପୂରା ରେଡୀ ଅଛନ୍ତି । ବିଧାନସଭାରେ କେଉଁ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘାଇଲା କରିବେ ସେନେଇ ପୂର୍ବ ପ୍ରସ୍ତୁତି ସରିଛି । ଖୋଦ ବିଜେଡି ସଭାପତି ସମସ୍ତ ବିଧାୟକମାନଙ୍କୁ ଏସମ୍ପର୍କରେ ଗୁରୁମନ୍ତ୍ର ମଧ୍ୟ ଦେଇସାରିଛନ୍ତି । ଏବଂ ବିଜେଡି ବିଧାୟକମାନେ ହାତରେ ପ୍ରସଙ୍ଗର ଲମ୍ବା ଚିଠା ଧରି ବିଧାନସଭା ଗୃହକୁ ଏଣ୍ଟ୍ରି କରିଛନ୍ତିି । କଂଗ୍ରେସ ମଧ୍ୟ ପୂରା ତୟାର ଥିବା କୁହାଯାଉଛି । ଏପରିକି ଶୋକ ପ୍ରସ୍ତାବ ପାରିତ ହେବା ପରେ ପରେ ଅନାହର ପ୍ରସଙ୍ଗ ଉଠାଇ ବିରୋଧୀ ହଟ୍ଟଗୋଳ କରିବା ଆରମ୍ଭ
କରିଥିଲେ । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବି ହଙ୍ଗାମା କରିଥିଲେ। ସମ୍ବିଧାନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି ବିଧାୟକ।ଯେଉଁ କାରଣରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ଗୃହ ମୂଲତବୀ କରାଯାଇଥିବା ସୂଚନା ମିଳିଛି । ଏହା ସହ ଆଗକୁ ମଧ୍ୟ ବିରୋଧୀ କେଉଁ ପ୍ରସଙ୍ଗରେ ବିଧାନସଭାରେ ସ୍ୱର ଉଠାଇବେ ସେନେଇ ପ୍ରସ୍ତୁତ ଥିବା କୁହାଯାଉଛି । କାରଣ ବିଜେପି ସରକାରକୁ ଆସିବା ପରଠୁ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର‌୍ୟ୍ୟସ୍ତ ହୋଇଥିବା ବିଜେଡି କହିଆସୁଛି । ନାବାଳିକାଙ୍କୁ ଗଣଦୁଷ୍କର୍ମ ହେଉ କି ଚୋରୀ ରାହାଜାନି, ରାଜ୍ୟରେ ବଢୁଥିବା ଅପରାଧ ଘଟଣାକୁ ନେଇ ଆଗକୁ ସରକାରଙ୍କୁ ଟାର୍ଗେଟ୍ କରିପାରନ୍ତି ବିରୋଧୀ । ତେବେ କେବଳ ଏତିକି ନୁହେଁ, ଧାନ କିଣାରେ ଅବ୍ୟବସ୍ଥା, ପରୀକ୍ଷାରେ ଅନିୟମିତତା, ରାଜ୍ୟପାଳଙ୍କ ପୁଅ ଗିରଫ ପ୍ରସଙ୍ଗ, ଚିକିଟି ମଦ ମୃତ୍ୟୁ ମାମଲାରେ ତଦନ୍ତ ଅବହେଳା ଇତ୍ୟାଦି ପ୍ରସଙ୍ଗ ମଧ୍ୟ ଆଗକୁ ବିଧାନସଭାରେ ବିରୋଧୀ ଉଠାଇପାରନ୍ତି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଆଉ ଏହି ସବୁ ପ୍ରସଙ୍ଗରେ କଂଗ୍ରେସ ଏବଂ ବିଜେଡି ଉଭୟ ଏକାଠି ସ୍ୱର ଉଠାଇପାରନ୍ତି ବୋଲି ସେ ଚର୍ଚ୍ଚାକୁ ବି ଏଡାଇ ଦିଆଯାଇନପାରେ । କାରଣ ଗତ କିଛି ଦିନ ହେବ ବିଜେଡିର କିଛି ନେତାମାନେ କଂଗ୍ରେସ ସହ ମେଣ୍ଟକୁ ନେଇ ମତବ୍ୟକ୍ତ କରୁଥିଲେ । ତେଣୁ ବିଧାନସଭାରେ ମଧ୍ୟ ଉଭୟ ହାତରେ ହାତ ମିଳାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ଦେଖାଯାଉ ଆଗକୁ ବିଧାନସଭା ଅଧିବେଶନରେ କେଉଁ ନୂଆ ଝଡ ସୃଷ୍ଟି ହେଉଛି ଏବଂ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଶାସକ ଦଳ କିପରି ରଖୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *