ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ସ୍ଥାନୀୟ ପଦ୍ମପୁର ଶ୍ରୀ ଶ୍ରୀ ରାମଚନ୍ଦ୍ର ଦେବ ଆଶ୍ରମ ପରିସରରେ ୩୦ ତାରିଖ ମଙ୍ଗଳବାର ଦିନ ପରିଷଦର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ନିରାକାର ଦଳେଇଙ୍କ ସଭାପତିତ୍ଵ ଏବଂ ସମ୍ପାଦକ ହରେକୃଷ୍ଣ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଅଭିଲିପ୍ସା ମହାନ୍ତି, ଘସିପୁରା ଥାନା ଅଧିକାରୀ ସୁନିଲ କୁମାର କର, ବିଜେପି ନେତା ଆଲୋକ କୁମାର ସେଠୀ, ଓକିଲ ସଙ୍ଘ ସଭାପତି ଦୟାନିଧୁ ଦାଶ, ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ପୂର୍ବତନ ଉପାଧ୍ୟକ୍ଷ ତଥା ସମାଜସେବୀ ସୁଶିଲ କୁମାର ହୋତା ଯୋଗ ଦେଇଥିଲେ । ଆଜିର ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏକ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବ ଆଗତ ହୋଇଥିବା ବେଳେ ସାମ୍ବାଦିକମାନେ ନିଷ୍ଠା ଓ ସ୍ଵଚ୍ଛତାର ସହ କାର୍ଯ୍ୟ କରିବା ପାଇଁ ସଭାପତି ନିରାକାର ଦଳେଇ ପରିଷଦର କାର୍ଯ୍ୟରତ ସମସ୍ତ ସଦସ୍ୟ ମାନଙ୍କୁ ଉପଦେଶ ଦେଇଥିଲେ । ଆଗାମୀ ଜାନୁଆରୀ ମାସରେ ପରିଷଦର ବାର୍ଷିକୋତ୍ସବ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏହି ଅବସରରେ ଆମ୍ବ, ହରିଡ଼ା, ବାହାଡ଼ା, ପିଜୁଳି, ଅଁଳା, ଶାଗୁଆନ, ଲେମ୍ବୁ ଆଦି ପ୍ରଜାତିର ଚାରା ଅତିଥ୍ ଓ ସଦସ୍ୟମାନଙ୍କ ଦ୍ଵାରା ଆଶ୍ରମ ପରିସରରେ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଟା ତଥା ଆନନ୍ଦପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ଏବଂ ପ୍ରେସ ପରିଷଦର ସମସ୍ତ ସଦସ୍ୟ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ ll
