ଆମଦାନୀ ନେତାଙ୍କ ସହ ଖେଳ ଖେଳୁଛି କି ବିଜେପି ? ସରକାରକୁ ଆସିବା ପରେ ବିଜେପିରେ ଶେଷ ହୋଇଗଲା କି ଆମଦାନୀ ନେତାଙ୍କ ରୋଲ ? ହଁ ଆଜ୍ଞା, ନିର୍ବାଚନ ପୂର୍ବରୁ ଜଣଙ୍କ ପରେ ଜଣେ ନେତା ପଦ୍ମ ପୋଖରୀକୁ ଡିଆଁ ମାରୁଥିଲେ । ପରିବର୍ତନର ନାରାରେ ଭାସିଯାଇ ରାଜ୍ୟରେ କିପରି ପଦ୍ମ ଫୁଟିବ ସେନେଇ ଯୋଜନା କଲେ । ଦିନରାତି ଏକ କରି ବିଜେଡି ବିରୁଦ୍ଧରେ ନୂଆ ନୂଆ ମୁଦ୍ଦା ପ୍ରସ୍ତୁତ କଲେ । ଏବଂ ଶେଷରେ ବିଜେଡି ସରକାରରୁ ବି ହଟିଲା । କିନ୍ତୁ ଯେଉଁମାନେ ବିଜେପିକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ ସେମାନଙ୍କ ହାତ ଏବେ ବି ଖାଲି ରହିଛି । ନା ଦଳରେ ସେମାନଙ୍କୁ ସେତେଟା ପ୍ରାଧାନ୍ୟ ମିଳୁଛି ନା କିଛି ବଡ ପଦ ପଦବୀ ଏଯାଏଁ ବିଜେପି ତାଙ୍କୁ ଦେଇଛି । ମାତ୍ର କିଛି ଜଣ ନେତା ବିଧାୟକ ଏବଂ ସାଂସଦ ପଦରେ ସ୍ଥାନିତ ହୋଇଥିବା ବେଳେ ବାକି ସବୁ ଦଳରେ କୋଣଠେସା ହେବା ସହ ଦଳରେ କିଛି ବି ଗୁରୁତ୍ୱ ବହନ କରୁଥିବା ଦେଖିବାକୁ ମିଳୁନି । ଯେଉଁଥିରେ ଭେଟେରାନ ନେତା ସମୀର ଦାସ ଆଗରେ ରହିଛନ୍ତି ।
ଟିକେଟ ନମିଳିବା ରାଗରେ ସମୀର ବିଜେଡି ଛାଡି ବିଜେପି ସିନା ଆସିଲେ । ହେଲେ ବିଜେପିରେ ତାଙ୍କ ରାଜନୈତିକ କ୍ୟାରିୟରରେ ଉତଥାନ ବଦଳରେ ପତନ ଦିଗକୁ ଯାଉଥିବା ଅନେକ ମହଲରେ ଚର୍ଚ୍ଚା ହେଉଛି । କାରଣ ବିଜେଡି ସରକାର ସମୟରେ ସମୀରଙ୍କ ନାଁ ରେ ଦବଦବା ରହିଥିଲା । କିନ୍ତୁ ଏବେ କେବଳ ନିଜ ନିର୍ବାଚନ ମଣ୍ଡଳୀରେ ସୀମିତ ରହିଯାଇଛନ୍ତି ସମୀର ଭାଇନା । ନିମାପଡାରେ କିପରି ବିଜେପି ଆହୁରି ଶସକ୍ତ ହେବ ସେନେଇ ପ୍ଲାନ ରେଡୀ କରୁଛନ୍ତି । କିନ୍ତୁ ବିଜେପିକୁ କିଛି ବି ଫରକ ପଡୁନି । ଏବଂ କେବଳ ଲୋକ ଦେଖାଣିଆ ପାଇଁ ସମୀର ଏପରି କରୁଥିବା ଚର୍ଚ୍ଚା ହେଉଛି ।
ଅନ୍ୟପଟେ ନିମାପଡାରେ ବିଜେଡି ଗଡ ଭାଙ୍ଗିବାରେ ସମୀର ମୁଖ୍ୟ ପୁରୋଧା ଥିଲେ । ନିଜେ ନ ଲଢି ପ୍ରଭାତୀଙ୍କୁ ଜିତାଇବାରେ ସମୀରଙ୍କ ପ୍ଲାନ ହିଁ କାମ ଦେଇଥିଲା । ଆଉ ନିମାପଡାରେ ବିଜେପିର ବିଜୟ ପତାକା ଉଡିବା ପରେ ସମୀରଙ୍କୁ ବିଜେପି ବଡ ପୁରସ୍କାର ଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ୯ ମାସ ପରେ ସମୀରଙ୍କ ଅଣ୍ଟିରେ କିଛି ବି ପଡିନି । ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ପଦ ଖାଲି ରହିଥିବା ବେଳେ ବିଜେପି କାହାକୁ କାହାକୁ ଏଥିରେ ସ୍ଥାନିତ କରିବେ ସେନେଇ ଦ୍ୱନ୍ଦ୍ୱରେ ରହିଛି । ତେବେ ଦେଖାଯାଉ କେବେ ସମୀରଙ୍କ ବିଜେପି ପୁରସ୍କୁୃତ କରୁଛି ଏବଂ ସମୀରଙ୍କ ହାତରେ କିଛି ବଡ ପଦବୀ ପଡୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।