ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଏବେ ରାଜଧାନୀ ଛାଡି ଗାଁ ମୁହାଁ ହେବେ ନେତା । ହଁ ଦର୍ଶକବନ୍ଧୁ, ପୁଣି ଥରେ ଘରକୁ ଘର ଯାଇ ଭୋଟ ମାଗିବେ ତିନି ଦଳର ମୁଖିଆ । ସାଧାରଣ ନିର୍ବାଚନ ପରେ ଏବେ ପୁଣି ଏକ ନିର୍ବାଚନର ସାମ୍ନା କରିବେ ତିନି ପ୍ରମୁଖ ଦଳ । କାରଣ ପଞ୍ଚାୟତ ନିର୍ବାଚନ ପାଇଁ ଆହୁରି ଦୁଇ ବର୍ଷ ବାକି ଥିବା ବେଳେ ଆସନ୍ତା ଜୁନ୍ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଛି । ଏପରିକି ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୪୩ ସରପଞ୍ଚଓ ୨୭୨ ୱାର୍ଡ ସଭ୍ୟ ପାଇଁ ଉପ-ନିର୍ବାଚନ କରାଯିବ । ଆଉ ଏହି ଉପନିର୍ବାଚନରେ ପୁଣି ଜଣା ପଡିବ ତିନି ଦଳର ପାୱାର କେତେ ।
କାରଣ ବିଜେପି ସରକାରକୁ ଆସିବି ଲୋକଙ୍କ ମନ ଜିଣିବାରେ ସମ୍ପୂର୍ଣ୍ଣ ସଫଳ ହୋଇନି । ନିଜ ନିର୍ବାଚନୀ ପ୍ରତିଶ୍ରତି ମୁତାବକ ଅଧାରୁ ଅଧିକ ପ୍ରତିଶ୍ରୁତି ବିଜେପି ଏଯାଏଁ ପୂରଣ କରିନି । ଏବଂ ଯେଉଁ ପ୍ରତିଶ୍ରୁତି ପୂରଣ କରିବା ନେଇ ପାଦ ଆଗକୁ ବଢାଇଛି ସେଥିରେ ମଧ୍ୟ ବ୍ରେକ ଲାଗିଛି । ଆୟୁଷ୍ମାନ ଯୋଜନା, ଚାକିରୀ ପ୍ରଦାନ, ଆଇନ ଶୃଙ୍ଖଳା ଆଦି ବିଭିନ୍ନ କ୍ଷେତ୍ରରେ ବିଜେପି ଫେଲ୍ ମାରିଛି । କିନ୍ତୁ ତଥାପି ମୋହନ ସରକାର ଏକ ବର୍ଷ ଭିତରେ କଣ କରିଛନ୍ତି ତାର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ବିଜେପି ପ୍ରସ୍ତୁତି ଚଳାଇଛି । କିନ୍ତୁ ଲୋକ ଏହାକୁ ଗ୍ରହଣ କରି ଉପନିବାଚନରେ ବିଜେପିକୁ ଭୋଟ ଦେବେ ନା ମୋହନ ସରକାରର ଯେଉଁ ହଇରାଣ ହେଉଛନ୍ତି ତାକୁ ଦୃଷ୍ଟିରେ ରଖି ଅନ୍ୟ ଦଳକୁ ଭୋଟ ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ସେହିପରି ବିଜେଡି ବିରୋଧୀ ଆସନରେ ଥାଇ ବି ଲୋକଙ୍କ ଗୁଡବୁକରେ ରହିଛିା ବିଜେଡି ସରକାରକୁ ହଟିବାର ଏକ ବର୍ଷ ପରେ ବି ନବୀନ ସରକାରଙ୍କୁ ଏବଂ ନବୀନଙ୍କ ଯୋଜନା ସବୁକୁ ମନେ ପକାଉଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛିା ଖାସ କରି ବିନା ଖର୍ଚ୍ଚରେ ବିଜେଡି ଯେଉଁ ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଥିଲା ତାକୁ ଲୋକେ ଝୁରିହେଉଥିବା ମତପ୍ରକାଶ ପାଉଛି । ଆଉ ଏହି ଭଳି ଅନେକ ଯୋଜନାକୁ ଲୋକେ ମନେ ପକାଉଛନ୍ତି । ତେଣୁ ଏହି ପଞ୍ଚାୟତ ଉପନିବାଚନରୁ ହିଁ ଲୋକଙ୍କ ମନ ବଦଳିବା ନେଇ ଆଶଙ୍କା କରାଯାଉଛି ।
ଅନ୍ୟପଟେ ନୂଆ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟ ନିଜ ଅଣ୍ଟା ସଳଖିବା ପାଇଁ ଚେଷ୍ଟା ଚଳାଇଛି । ବିଧାନସଭାରେ ଶାସକ ଦଳକୁ ହରଡଘଣାରେ ପକାଇବା ପରେ ଏବେ ପଞ୍ଚାୟତ ଉପନିବାଚନରେ ମଧ୍ୟ କଂଗ୍ରେସ ନିଜର ସ୍ଥିତିକୁ ମଜବୁତ କରିବା ନେଇ ପ୍ରୟାସ ଜାରି ରଖିବ ବୋଲି ସେଥିରେ ସନ୍ଦେହ ନାହିଁ । ତେବେ ଏହି ପଞ୍ଚାୟତ ଉପନିର୍ବାଚନରେ ଜନମତ କାହାକୁ ଯାଉଛି ଏବଂ ଲୋକଙ୍କ ପସନ୍ଦ କିଏ ସାଜୁଛି ତାହା ଦେଖିବାକୁ ଅପେକ୍ଷା ।