ବିଜେଡିର ପ୍ରତିଷ୍ଠା ଦିବସରେ ଶ୍ରୀମୟୀଙ୍କ ଅନୁପସ୍ଥିତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଭୁବନେଶ୍ୱର ସ୍ଥିତ ଶଙ୍ଖଭବନରେ ଆୟୋଜିତ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସରେ ବଡ ବଡ ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ କର୍ମୀ ସମସ୍ତେ ସାମିଲ ଥିବା ବେଳେ ଶ୍ରୀମୟୀ ଏଠାରେ ଉପସ୍ଥିତ ନଥିଲେ । ଏପରିକି ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥିବା ଶ୍ରୀମୟୀ ପ୍ରତିଷ୍ଠା ଦିବସ ନେଇ କିଛି ବି ପୋଷ୍ଟ ମଧ୍ୟ କରିନାହାନ୍ତି । ଯାହାକୁ ନେଇ ସସପେନ୍ସ ବଢିଛି । ଏବଂ ଶ୍ରୀମୟୀ କାହିଁକି ଦଳର ପ୍ରତିଷ୍ଠା ଦିବସରେ ସାମିଲ ହେଲେନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ବିଗତ ଦିନରେ ଶ୍ରୀମୟୀ ମିଶ୍ର ଏବଂ ଦଳୀୟ ନେତାଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏହାକୁ ନେଇ ଦଳର ସୁପ୍ରିମୋ ଚୁପ୍ ଥିବା ବେଳେ ଶ୍ରୀମୟୀ ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରରେ ରହିଥିଲେ । ନା କୌଣସି ସଭା ସମିତି ନା ଅନ୍ୟ କୌଣସି କାର୍ଯ୍ୟକ୍ରମ ଶ୍ରୀମୟୀ ସେତେଟା ଦଳରେ ସକ୍ରିୟ ରହୁନଥିଲେ । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ ଶ୍ରୀମୟୀ । ଏବଂ ମଝିରେ ମଝିରେ ସେ ଦଳରେ ସକ୍ରିୟ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ହିଣ୍ଟ ଦେଉଥିଲେ । କେତେବେଳେ ନବୀନଙ୍କ ଜନ୍ମଦିନ ତ ଆଉ କେତେବେଳେ ମହିଳାଙ୍କୁ ଗୁରୁମନ୍ତ୍ର ଦେବା କାର୍ଯ୍ୟକ୍ରମରେ ଶ୍ରୀମୟୀ ସାମିଲ ଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଦଳର ଏତେ ବଡ ଦିନରେ ଶ୍ରୀମୟୀ ସାମିଲ ନହେବା ସାଧାରଣରେ ସହଜରେ ଗ୍ରହଣ ହୋଇପାରୁନାହିଁ ।
ଅନ୍ୟପଟେ ପୂର୍ବରୁ ସରକାରରେ ଥିବା ସମୟରେ ଶ୍ରୀମୟୀ ଦଳର ପ୍ରତିଷ୍ଠା ଦିବସରେ ସାମିଲ ହେବା ସହ ବିରାଟ ବିରାଟ ସଭାରେ ଯୋଗ ଦେଉଥିଲେ । କେତେବେଳେ ସାଇକେଲ ରାଲି ତ ଆଉ କେତେବେଳେ ରକ୍ତଦାନ ଶିବିରର ଆୟୋଜନ କରି ପ୍ରତିଷ୍ଠା ଦିବସ ପାଳନ କରୁଥିଲେ । କିନ୍ତୁ ଚଳିତ ଥର ଶ୍ରୀମୟୀ ପ୍ରତିଷ୍ଠା ଦିବସରେ ଶଙ୍ଖଭବନରେ ପାଦ ବି ପକାଇନଥିବା କୁହାଯାଉଛି । ଆଉ ଏସବୁକୁ ଦୃଷ୍ଟିକୁ ନେଲେ ଶ୍ରୀମୟୀଙ୍କ ଦଳରେ ଭୂମିକାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ତେବେ ଦେଖାଯାଉ ଏ ଦ୍ୱନ୍ଦ୍ୱ କେବେ ଦୂର ହେଉଛି ଏବଂ ଶ୍ରୀମୟୀ ଦଳରେ ଫୁଲ ସକ୍ରିୟ ରହୁଛନ୍ତି ତାହା ଦେଖିବାର କଥା ।