ଏକାଠି ବସିଲେ ମୋଦି-ମୋହନ

ଏକାଠି ବସିଲେ ମୋଦି-ମୋହନ

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ? କଣ ହେଲା ଆଲୋଚନା ? କାହିଁକି ହଠାତ୍ ଦିଲ୍ଲୀ ଯାଇଥିଲେ ରାଜ୍ୟ ମୁଖିଆ ? ମୋହନଙ୍କୁ କି କର୍ଣ୍ଣମନ୍ତ୍ର ଦେଲେ ମୋଦି ? ଦିଲ୍ଲୀରେ ମୋଦି-ମୋହନଙ୍କ ଭେଟଘାଟ ପରେ ରାଜ୍ୟ ରାଜନୀତିରେ ଉଙ୍କି ମାରୁଛି ଏମିତି କିଛି ପ୍ରଶ୍ନ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ ଆଉ ଦିନ କେଇଟା ପରେ ବର୍ଷେ ପୂରିୂବାକୁ ଯାଉଛି । ଏକ ସପ୍ତାହ ପର୍ଯ୍ୟନ୍ତ ବିଜେପି ନିଜର ବିଜୟ ଉତ୍ସବ ପାଳିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଛି । ଆଉ ଏପଟେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ନିଜର ଏକବର୍ଷିଆ ରିପୋର୍ଟ କାର୍ଡ ବିଜେପି ହାଇକମାଣ୍ଡଙ୍କୁ ଦେଇଛନ୍ତି । ଓଡିଶାର ବିକାଶ ଦିଗରେ କେଉଁ କ୍ଷେତ୍ରରେ କଣ ପଦକ୍ଷେପ ନିଆଯାଇଛି ? କେଉଁ କେଉଁ କ୍ଷେତ୍ରରେ କଣ ସବୁ ବିକାଶ ହୋଇଛି ଗୋଟି ଗୋଟି କରି ସବୁର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପିର ଏହି ବିଜୟ ଉତ୍ସବକୁ ଏକ ସପ୍ତାହ ନୁହେଁ ବରଂ ଏକ ବର୍ଷ ବ୍ୟାପୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି । ବଡ ବଡ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଏହି ଉତ୍ସବରେ ସାମିଲ କରାଇବା ପାଇଁ ପ୍ଲାନିଂ ପ୍ରସ୍ତୁତ ହେଉଥିବା ବେଳେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ବାବଦରେ ସବିଶେଷ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ତେବେ ମୋଦି-ମୋହନଙ୍କ ଏହି ଭେଟଘାଟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର । ମୁଖ୍ୟମନ୍ତ୍ରୀ ବାରମ୍ୱାର ଦିଲ୍ଲୀ ଗସ୍ତ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ରାଜ୍ୟର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଇ ଆଲୋଚନା କରିବା ଡବଲ ଇଞ୍ଜିନ ସରକାରଙ୍କ ସ୍ୱତନ୍ତ୍ର ରଣନୀତି ବୋଲି ଚର୍ଚ୍ଚା ହେଉଛି । ଦଳୀୟ କନ୍ଦଳ ଏବଂ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ରାଜ୍ୟ ସଭାପତି ଚୟନ ନେଇ ମଧ୍ୟ ଦୁଇ ମୁଖିଆଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡୁଛି । ଯାହାର ପ୍ରଭାବ ଓଡିଶାର ବିଜେପି ନେତାଙ୍କ ଉପରେ ମଧ୍ୟ ପଡିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ଦିଲ୍ଲୀ ଗସ୍ତ ଏବଂ ବାରମ୍ୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା କେଉଁଠି ନା କେଉଁଠି ରାଜ୍ୟରେ ବିକାଶ ଦିଗରେ କାର୍ଯ୍ୟ କରୁଥିବା କୁହାଯାଉଥିବା ବେଳେ ବିଜେପିର ଦଳୀୟ କନ୍ଦଳକୁ ସଜାଡିବା ପାଇଁ ବିଜେପି ହାଇକମାଣ୍ଡ ରାଜ୍ୟ ମୁଖିଆଙ୍କୁ କର୍ଣ୍ଣମନ୍ତ୍ର ଦେଇଥିବା ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ ରିଓ ନିୟୁଜ

author

Related Articles

Leave a Reply

Your email address will not be published. Required fields are marked *