ଗଞ୍ଜାମ ଗଡରେ ପୁଣି ପଡିବ କି ନବୀନଙ୍କ ପାଦ ? ଭାଙ୍ଗି ଯାଇଥିବା ଗଡକୁ ସୁଧାରିବା ପାଇଁ ଆକ୍ସନ ମୁଡରେ ବିଜେଡି ସୁପ୍ରିମୋ ? ପୁଣି ଗଞ୍ଜାମ ଗଡରେ ହେବ କି ଶଙ୍ଖ ନାଦ ? ମୁହାଁମୁହିଁ ହେବେ କି ପ୍ରଦୀପ-ନବୀନ ? ଗଞ୍ଜାମ ରାଜନୀତିରେ ଆସିବ କି ଏକ ନୂଆ ମୋଡ ? ରାଜ୍ୟ ରାଜନୀତିରେ ବିଜେଡିର ଅଭେଦ୍ୟ ଗଡ ହୋଇ ରହିଥିଲା ଗଞ୍ଜାମ ମାଟି କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ଗଞ୍ଜାମ ଗଡରେ ନବୀନଙ୍କ ଲେଖା ଛିଡାଇ ଦେଇଥିଲେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେପି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।
ଚଳିତ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର 13 ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ କଂଗ୍ରେସ ଅକ୍ତିଆରକୁ ଯାଇଥିବା ବେଳେ ଅନ୍ୟଟି ତଥା ହିଞ୍ଜିଳି ଗଡ ବିଜେଡି ଅକ୍ତିଆରକୁ ଯାଇଛି । ଲଗାତାର ଭାବେ ହି଼ଞ୍ଜିଳିରୁ ବିଧାୟକ ହୋଇ ଆସୁଥିଲେ ନବୀନ ପଟ୍ଟନାୟକ ଚଳିତ ଥର ଅନ୍ୟ ଆସନ ଗୁଡିକରେ ବିଜେଡି ନେତା ମାନେ ମାଟି କାମୁଡି ପଡିଥିବା ବେଳେ ନବୀନ ବିଜୟ ମୁକୁଟ ପିନ୍ଧିଥିଲେ ।
ତେବେ ଯେଉଁ ହିଞ୍ଜିଳି ରାଜନୀତିକୁ ନେଇ ନବୀନଙ୍କୁ ପ୍ରଶ୍ନ କରାଯାଉଥିଲା ସେହି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଏବେ ସକ୍ରିୟ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳି ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେଠାକାର ସରପଞ୍ଚ ଏବଂ ଦଳୀୟ ନେତୃବୃନ୍ଦଙ୍କୁ ଭେଟି ଲୋକଙ୍କ ସୁବିଧାଅସୁବିଧା ବୁଝିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଲୋକଙ୍କ ପାଇଁ ବିଜୁ ଜନତା ଦଳ ଦୃଢ଼ତାର ସହ ଆଗକୁ ବଢ଼ୁଥିବା କଥା କହିଛନ୍ତି ।
ନିର୍ବାଚନ ପରେ ହତୋତ୍ସାହିତ ହୋଇ ପଡିଥିବା ବିଜେଡି ନେତା ମାନଙ୍କୁ ଦମ୍ଭ ଦେବା ପାଇଁ ନବୀନଙ୍କ ଏପରି ନୂଆ ରଣନୀତି ବୋଲି କୁହାଯାଉଛି । କାହିଁକିନା ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ନବୀନ ନିଜର ଭାଙ୍ଗିଯାଇଥିବା ଗଡକୁ ସୁଧାରିବା ପାଇଁ କସରତ ଆରମ୍ଭ କରିଦେଲେଣି ।
ଏପଟେ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବିଜେପି ଗଞ୍ଜାମରେ ହ୍ୟାଟ୍ରିକ ବିଜୟ କରିଥିଲା । ବିଜେଡିରୁ ତଡା ଖାଇବା ପରେ ବିଜେପିରେ ସାମିଲ ହୋଇଥିଲେ ନବୀନଙ୍କ ଲେଖା ଛିଡାଇ ଦେଇଥିଲେ ବ୍ରହ୍ମପୁର ସାଂସଦ । ତେବେ ଆଗାମୀ ଦିନରେ ହେବାକୁ ଯାଉଥିବା ପୌର ନିର୍ବାଚନରେ ଏହି ଦୁଇ ପାୱାରଫୁଲ ନେତାଙ୍କ ଭିତରେ ଯେଉଁ ଜୋରଦାର ଫାଇଟ ହେବ ସେଥିରେ କାହା ଲେଖା ଛିଡିବ କେବଳ ତାହାର ଅପେକ୍ଷା ।