ନିର୍ବାଚନ ଫଳାଫଳ ବାହାରିବାର ୬ ମାସ ପରେ ପୁଣି ଫେରିଛି ପାଣ୍ଡିଆନ ଚର୍ଚ୍ଚା । ପାଣ୍ଡିଆନଙ୍କ ରିଟର୍ଣ୍ଣରେ ରାଜନୀତିରେ ଦେଖାଦେଇଛି ବଡ ହଲଚଲ । ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ପରେ ଯେଉଁ ନାଁ ଏବଂ ଚେହେରା ରାଜ୍ୟରେ ଚହଳ ପକାଇଥିଲା ସେ ଚର୍ଚ୍ଚା ଏବେ ପୁଣି ଫେରିଛି । ଦୀର୍ଘ ଦିନ ଧରି ଗାଏବ ହୋଇଯାଇଥିବା ଭିକେ ପାଣ୍ଡିଆନ ହଠାତ ଏକ ବିବାହ ଭୋଜିରେ ନଜର ଆସିବା ସମସ୍ତଙ୍କ ନିଦ ହଜାଇଦେଇଛି । ଖାସ କରି ପାଣ୍ଡିଆନଙ୍କ ରିଟର୍ଣ୍ଣରେ ବିଜେପି ନେତାଙ୍କ ଛାତି ଧଡଧଡ ହେଉଥିବା କୁହାଯାଉଛି । ଏପରିକି ପାଣ୍ଡିଆନଙ୍କୁ ଦେଖିବା ପରେ ସେଠାରେ ଥିବା ଲୋକମାନେ ଯେପରି ପାଣ୍ଡିଆନଙ୍କୁ ଘେରିଗଲେ ସେଥିରୁ ପାଣ୍ଡିଆନଙ୍କୁ ଆଜି ବି ଲୋକେ ପସନ୍ଦ କରୁଥିବା ସ୍ପଷ୍ଟ ହେଉଛି । କିନ୍ତୁ ଏତେ ଦିନ ପରେ ପାଣ୍ଡିଆନ କାହିଁକି ପଦାକୁ ବାହାରିଲେ, ଏହା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ଅଛି କି ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।
ଅନ୍ୟପଟେ ଶୀତକାଳୀନ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ନବୀନ ଫୁଲ ଜୋସରେ ରହିଛନ୍ତି । ବିଧାୟକମାନଙ୍କୁ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉଠାଇବେ ସେନେଇ ଗୁରୁମନ୍ତ୍ର ଦେଇସାରିଛନ୍ତି । ଏପରିକି ବିଜେଡି ବିଧାୟକମାନେ ବିଧାନସଭା କମ୍ପାଉଥିବାର ଦେଖିବାକୁ ମିଳିଛି । ଏପଟେ ସାଧାରଣରେ ଗୁପଚୁପ ଖାଇ ଲୋକଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି ନବୀନ । ଏହା ସହିତ ଆଗକୁ ନବୀନ ଗାଁ ବୁଲିବା ନେଇ କାଯ୍ୟକ୍ରମ ରହିଛି । ନବୀନ ଗାଁ ବୁଲିବା ସମୟରେ ଦଳର ଦାୟିତ୍ୱ ପୁଣି ଥରେ ପାଣ୍ଡିଆନଙ୍କୁ ଦେଇପାରନ୍ତି ବୋଲି ସମ୍ଭାବନା ରହିଛି । କିନ୍ତୁ ପାଣ୍ଡିଆନ ପୁଣି ଥରେ ରାଜନୀତିକୁ ରିଟର୍ଣ୍ଣ କରିବେ ନା ପରୋକ୍ଷରେ ରହି ଗୋଟି ଚଳାଇବେ ସେନେଇ ଦ୍ୱନ୍ଦ୍ୱ ଉପୁଜୁଛି ।