କିଏ ହେବ ବିଜେପିର ଆଗାମୀ ସଭାପତି ? ମନମୋହନଙ୍କ ସିଟରେ ବସିବ କିଏ ? କାହା ମୁଣ୍ଡରେ ସୁନା କଳସ ଢାଳିବେ ବିଜେପିରେ ଶୀର୍ଷ ନେତୃତ୍ୱ ? ଦର୍ଶକବନ୍ଧୁ ରାଜ୍ୟ ରାଜନୀତିରେ ଭାରତୀୟ ଜନତା ପାର୍ଟିକୁ ନେଇ ଏ ଚର୍ଚ୍ଚା ନୂଆ ନୁହେଁ । ଦୀର୍ଘ ଦିନ ହେବ ରାଜ୍ୟ ସଭାପତି କିଏ ହେବ କାହାକୁ ବିଜେପିର ମୁଖିଆ ଦାୟିତ୍ୱ ଦିଆଯିବ ସେ ନେଇ ବିଜେପି ଶିବିରରେ ମାନସ ମନ୍ଥନ ଚାଲିଛି । ପ୍ରଥମ ଥର ପାଇଁ ଦଳ ସରକାର ଗଢିବା ପରେ ଦଳର ବଡ ବଡ ନେତୃତ୍ୱଙ୍କୁ ହଟ୍ ସିଟିରେ ଶୀର୍ଷ ନେତୃତ୍ୱ ବସାଇ ପାରନ୍ତି ବୋଲି କୁହାଯାଉଛି । ଦଳ ନିର୍ବାଚନ ଜିତିବା ପଛରେ ଦଳର ସମସ୍ତ ନେତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ରାଜ୍ୟ ସଭାପତି ରେସରେ ବିଜେପିର ଅନେକ ବରିଷ୍ଠ ନେତାଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଚର୍ଚ୍ଚା ବଢିଛି ।
ଗତ ନିର୍ବାଚନରେ ରାଜଧାନୀରେ ଆଉଥରେ ଅପରାଜିତାର ନାରା ଦିଆଯାଉଥିଲା ଆଉ ତାହା ହିଁ ହେଲା ପୁଣିଥରେ ରାଜଧାନୀର ରାଣୀ ହେଲେ ମ୍ୟାଡାମ ଅପରାଜିତା । ସେହି ରାଜଧାନୀ ରାଣୀଙ୍କୁ ଏବେ ବିଜେପି ନିଜ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇପାରେ ବୋଲି କୁହାଯାଉଛି । କାହିଁକିନା ଦୁଇ ଦୁଇ ଥର ସାଂସଦ ହେବା ପରେ କେନ୍ଦ୍ରରେ ଅପରାଜିତାଙ୍କୁ ମନ୍ତ୍ରୀ ପଦବୀ ମିଳିବା ନେଇ କୁହାଯାଉଥିଲା କିନ୍ତୁ ତାହା ହେଲାନାହିଁ । ସେଥିପାଇଁ ବୋଧହୁଏ ଦଳର ଶୀର୍ଷ ନେତୃତ୍ୱ ସାଂସଦ ମ୍ୟାଡାମଙ୍କୁ ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ପୁରସ୍କୃତ କରିପାରନ୍ତି ।
ଅପରପକ୍ଷେ ରାଜ୍ୟ ସଭାପତି ରେସରେ ବିଜେପିର ଅନେକ ନେତାଙ୍କ ନାଁ ସାମ୍ନାକୁ ଆସୁଥିବା ବେଳେ ମନମୋହନ ସାମଲ ପୁଣିଥରେ ରିପିଟ ହୋଇପାରନ୍ତି ବୋଲି ମଧ୍ୟ କୁହାଯାଉଛି । ବିଜେପିର ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ଯାହାର ସମାଧାନ କରିବା ପାଇଁ ବାରମ୍ୱାର ଶୀର୍ଷ ନେତୃତ୍ୱ ଅଣ୍ଟା ଭିଡିଥିଲେ ସୁଦ୍ଧା କନ୍ଧଳ ବଢିବା ବଦଳରେ ଥମିବାର ନାଁ ଧରୁନି ।
ଦଳର ଅସନ୍ତୁଷ୍ଟ ଓ ବରିଷ୍ଠ ଯୁବ ସମସ୍ତଙ୍କୁ ଦାୟିତ୍ୱ ବାଣ୍ଟି ଦଳରେ ସମନ୍ୱୟ ରକ୍ଷା କରିବା ପାଇଁ ଏପରି ରଣନୀତି ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି ଏବଂ ଏହା କେତେଦୂର ସତ ହେଉଛି ତାହା ଦେଖିବାକୁ ଅପେକ୍ଷା ।