ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଢୁଛି ଅଡୁଆ । ଧୀରେ ଧୀରେ ଭୁଶୁଡୁଛି ଦୀର୍ଘ 24 ବର୍ଷର ଗଡ । ନବୀନଙ୍କ ଆୟତ୍ତରେ ରହୁନି ଦଳ । ଦଳ ଛାଡୁଛନ୍ତି ସାଂସଦଙ୍କ ଠାରୁ ଯେ ତୃଣମୂଳ ସ୍ତରର କର୍ମୀ । କେବଳ ଦଳ ଛାଡୁନାହାନ୍ତି ବରଂ ଭାରତୀୟ ଜନତା ପାର୍ଟିରେ ସାମିଲ ହେଉଛନ୍ତି । ହଁ ଆଜ୍ଞା ଚଳିତ ନିର୍ବାଚନରେ ନବୀନଙ୍କର ଯେଉଁ ପରାଜୟ ହେଲା ଏହାପରେ ସୁପ୍ରିମୋଙ୍କ ନାଲି ଆଖିକୁ ଆଉ କାହାର ଖାତିର ନାହିଁ । ଏବେ ପର୍ଯ୍ୟନ୍ତ ପରାଜୟର କାରଣ ଖୋଜୁଥିବା ନବୀନଙ୍କ ମୁହଁ ଉପରେ ଦଳୀୟ ନେତା ମାନେ ପରାଜୟର କାରଣ କହିଲେ । ନବୀନଙ୍କୁ ଦୋଷ ଦେଲେ । ପରନ୍ତୁ ନିଜ ଦଳୀୟ କର୍ମୀ ଓ ନେତାଙ୍କୁ ଏକମନ ଏକ ପ୍ରାଣ ନେଇ କିପରି କାର୍ଯ୍ୟ କରିବେ ସେ ଦିଗରେ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ।
ପୁରୁଣା କମିଟି ଭାଙ୍ଗିଲେ ନୂଆ କମିଟି ଗଠନ କଲେ ବରିଷ୍ଠ ନେତାଙ୍କୁ ଆଗକୁ ଆଣିଲେ କିନ୍ତୁ ଯଥା ପୂର୍ବଂ ତଥା ପରଂ । ପୂର୍ବରୁ ଦଳର ପରିସ୍ଥିତି ଯେପରି ରହିଥିଲା ନିର୍ବାଚନକୁ ଛଅମାସ ବିତିଯାଇଥିଲେ ସୁଦ୍ଧା ସେପରି ରହିଛି । ଦଳରୁ ବିମୁଖ ହୋଇ ବରିଷ୍ଠ ନେତାମାନେ ବିଷୋଦଗାର କରୁଥିଲେ । ଆଉ ଏବେ ତୃଣମୂଳ ସ୍ତରର କର୍ମୀ ବ୍ଲକ ଅଧକ୍ଷା ଦଳ ଛାଡୁଛନ୍ତି । ଗତ ଡିସେମ୍ୱର 2 ତାରିଖରେ ବଡମ୍ୱା ବ୍ଲକ ଅଧକ୍ଷା ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିଲେ ଏବଂ ସଙ୍ଗେ ସଙ୍ଗେ ପଦ୍ମ ଧରିଥିଲେ । ନିଜର ହଜାର ହଜାର କର୍ମୀଙ୍କ ସହିତ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଯାହା ବଡମ୍ୱାରେ ଥିବା ବିଜେଡିର ଦୁର୍ଗକୁ ଏକପ୍ରକାର ଭାଙ୍ଗିଦେଇଛି ।
ଯଦି ନିର୍ବାଚନ ଉପରେ ଆଖି ପକାଇବା ତେବେ ଆଗାମୀ ଦିନରେ ପୌର ନିର୍ବାଚନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତୃଣମୂଳ ସ୍ତରରୁ ନିଜ ଦଳକୁ ସୃଦୁଢ କରିବା ପାଇଁ ତିନି ରାଜନୈତିକ ଦଳମାନେ ଏବେଠାରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେଣି । ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାର ପୌର ନିର୍ବାଚନରେ ମଧ୍ୟ ହ୍ୟାଟ୍ରିକ ବିଜୟ କରିବାର ଲକ୍ଷ୍ୟ ରଖିଥିବା ବେଳେ ଏପଟେ ଭାଙ୍ଗି ଭାଙ୍ଗି ଯାଉଛି ବିଜେଡିର ଗଡ ।
ଭୁଶୁଡୁଥିବା ଗଡକୁ ସୁଧାରି ଆଗାମୀ ପୌର ନିର୍ବାଚନରେ ବିଜେପି ସରକାରକୁ ମାତ ଦେବାରେ କେତେ ସଫଳ ହେଉଛନ୍ତି ନବୀନ ତାହା ଦେଖିବାକୁ ଅପେକ୍ଷା ।