ନିମାପଡା ବିଜେପିରେ ଚାଲିଛି କଣ ? ଗୋଟିଏ ନିର୍ବାଚନ ମଣ୍ଡଳୀରେ ଥାଇ କାହିଁକି ଏକାଠି ନଜର ଆସୁନାହାନ୍ତି ନିମାପଡା ବିଜେପିର ଦୁଇ ଚର୍ଚ୍ଚିତ ନେତା? ହଁ ଆଜ୍ଞା, ଏଭଳି କିଛି ଦ୍ୱନ୍ଦ୍ୱ ଏବେ ନିମାପଡା ବିଜେପିର ଚେହେରା କୁହାଯାଉଥିବା ଉପମୁଖ୍ୟମନ୍ତ୍ରୀ ତଥା ନିମାପଡା ବିଧାୟିକା ପ୍ରଭାତୀ ପରିଡା ଏବଂ ପୂର୍ବତନ ବିଧାୟକ ସମୀର ଦାସଙ୍କୁ ନେଇ ସୃଷ୍ଟି ହୋଇଛି । କିଛି ମାସ ହେବ ଏହି ଦୁଇ ନେତାଙ୍କୁ କେଉଁଠି ବି ଏକାଠି ଦେଖିବାକୁ ମିଳୁନି । ଏପରିକି ନିମାପଡାରେ ଉଭୟ ଉପସ୍ଥିତ ଥିବା ସମୟରେ ମଧ୍ୟ କେହି କାହାକୁ ଭେଟୁଥିବା ନଜର ଆସୁନି । ଯାହାକୁ ନେଇ ଏବେ ବି ଏହି ଦୁଇ ନେତାଙ୍କ ମଧ୍ୟରେ ମତାନ୍ତର ରହିଥିବା ଚର୍ଚ୍ଚା ହେଉଛି । ତେବେ ଉପମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଭାତୀ ନିମାପଡା ରାଜନୀତିରେ ଏତେଟା ସକ୍ରିୟ ରହୁନାହାନ୍ତି । ଫଳରେ ନିମାପଡାରେ ବିଜେପିର ସଙ୍ଗଠନକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସମୀର ଦାସ । ସାମାଜିକ କାର୍ଯ୍ୟକ୍ରମ ସହ ସଦସ୍ୟତା ଅଭିଯାନ ମାଧ୍ୟମରେ ସମୀର ଦଳକୁ ସଙ୍ଗଠିତ କରି ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏବଂ ଏହି ସବୁ ପ୍ରୟାସରୁ ସମୀରଙ୍କୁ ଆଗାମୀ ଦିନରେ ଦଳ ପକ୍ଷରୁ ପୁରସ୍କାର ସଦୃଶ କିଛି ବଡ ପଦ ପଦବୀ ମିଳିବାର ସମ୍ଭାବନା ମଧ୍ୟ ରହିଛି । ସମୀରଙ୍କ ବଳରେ ବିଜେପି ବିଜେଡିର ନିମାପଡା ଗଡକୁ ଅକ୍ତିଆର କରିବାରେ ସଫଳ ହେଇଥିବାରୁ ବିଜେପି ହାଇକମାଣ୍ଡଙ୍କ ଗୁଡବୁକରେ ମଧ୍ୟ ରହିଛନ୍ତି ସମୀର ।
କିନ୍ତୁ ପ୍ରଭାତୀ ନିଜ ନିର୍ବାଚନ ମଣ୍ଡଳୀରେ ସମୀରଙ୍କୁ ଅଣଦେଖା କରିବା , ନିମାପଡ଼ା ନିର୍ବାଚନମଣ୍ଡଳୀର ଦଳୀୟ କାର୍ଯ୍ୟାଳୟରେ ସମୀରଙ୍କ ଅନୁପସ୍ଥିତି, ସମୀର ଏବଂ ପ୍ରଭାତୀଙ୍କ ମଧ୍ୟରେ ତୁତୁମେମେ ପରିସ୍ଥିତି ସୃଷ୍ଟି ହୋଇଥିବା ସମ୍ଭାବନାକୁ ବଢାଇ ଦେଉଛି । ଏବଂ କ୍ଷମତାର ବାସ୍ନା ବାରିବା ପରେ ପ୍ରଭାତୀ ସମୀରଙ୍କୁ ଏତେଟା ପସନ୍ଦ କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏ ଚର୍ଚ୍ଚା ପ୍ରଭାତୀଙ୍କ କିଛି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆରମ୍ଭ ହୋଇଛି । ପ୍ରଭାତୀ ନିମାପଡା ଗସ୍ତ କରିବା ସମୟରେ ସାଧାରଣ ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ବନ୍ଧୀୟ ଆଲୋଚନା କରିବା ସହ ଦଳୀୟ କାର୍ଯ୍ୟାଳୟର ଏକ ସଭାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏଠାରେ ଖୋଦ ସଙ୍ଗଠନ ଦାୟିତ୍ୱ ନିଭାଉଥିବା ସମୀର ଦାସ ହିଁ ଉପସ୍ଥିତ ନଥିଲେ । ଆଉ ଏସବୁକୁ ଦୃଷ୍ଟିକୁ ନେଲେ ଏହି ଦୁଇ ନେତା କେହି କାହା ମୁହଁ ଚାହୁଁନଥିବା ଚର୍ଚ୍ଚା ହେଉଛି । ଯାହା ଦଳୀୟ ନେତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।