ଜମ୍ମୁ ଏବଂ କାଶ୍ମୀରକୁ “ଭାରତର ମଣି” ବୋଲି କୁହାଯାଏ କାରଣ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ ମୋହିତ କରେ । ଶ୍ରୀନଗର, ଗୁଲମାର୍ଗ, ପାହାଲଗାମ ଭଳି ସ୍ଥାନଗୁଡିକ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ । ପାଇନ ଗଛକୁ ବରଫରେ ଆଚ୍ଛାଦିତ ପାହାଡ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ପହଲଗାମର ବିଶାଳ ତୃଣଭୂମି,ସ୍ୱଚ୍ଛ ଜଳ,ହ୍ରଦ ପାଇଁ ପ୍ରସିଦ୍ଧ ଓ ପର୍ଯ୍ୟଟଙ୍କ ପ୍ରଥମ ପସନ୍ଦ । ଚାଲି ଚାଲି କିମ୍ୱା ଘୋଡା ପିଠିରେ ବସି ଏହି ସ୍ଥାନକୁ ଯିବାକୁ ହୋଇଥାଏ । ଭାରତର ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସିଥାନ୍ତି । କିନ୍ତୁ ଏହି ପହଲଗାମରେ ଆତଙ୍କବାଦୀମାନେ ଯେଉଁ ଭୟଙ୍କର ଘଟଣା ଘଟାଇଛନ୍ତି ତାହା ସମଗ୍ର ଦେଶକୁ ଆଜି ସ୍ତବ୍ଧ କରିଦେଇଛି । ତେବେ କଣ ଥିଲା ଆତଙ୍କୀଙ୍କ ପୁରା ପ୍ଲାନ ? କାହିଁକି ପହଲଗାମକୁ ବାଛିଥିଲେ ଆତଙ୍କବାଦୀ ? ପର୍ଯ୍ୟଟକଙ୍କ ପାଇଁ କେତେ ସୁରକ୍ଷିତ ଥିଲା ପହଲଗାମ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ….
ଶ୍ରୀନଗର ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ପ୍ରାୟ 90 କିଲୋମିଟର ଦୂର ପହଲଗାମର ବୈସରନ ଭ୍ୟାଲି । ଯାହା ଦକ୍ଷିଣ କାଶ୍ମୀରର ଏକ ଲୋକପ୍ରିୟ ପାହାଡି ସ୍ଥାନ ଅଟେ । ଏହାର ଚାରିପଟେ ନଦୀ ଓ ତୀର୍ଥସ୍ଥାନ ରହିଛି । ଏହି ବୈସରନ ଉପତ୍ୟକା ଏକ ଜଣାଶୁଣା ସ୍ଥାନ । ପାହାଲଗାମ୍ର ବୈସାରାନ୍ ଭାଲି ଅଞ୍ଚଳକୁ ‘ମିନି ସ୍ୱିଜରଲ୍ୟାଣ୍ଡ୍’ କହାଯାଏ କାରଣ ଏଠାର ଦୃଶ୍ୟ ଏବଂ ପ୍ରକୃତି ସ୍ୱିଜରଲ୍ୟାଣ୍ଡ ଗ୍ରାମ୍ୟ ଅଞ୍ଚଳ ସହ ସମାନ। ପାହାଲଗାମ୍ରୁ ପ୍ରାୟ ୫-୬ କି.ମି. ଦୂରରେ ଅବସ୍ଥିତ ବୈସରନ ଭ୍ୟାଲି ଏବଂ ଏଠାରେ ବରଫ ଢାକା ପାହାଡ଼, ଜଙ୍ଗଲ ଯାହା ଦେଖିଲେ ଏକ ବିଶୁଦ୍ଧ ପ୍ରକୃତି ଅନୁଭବ ହୁଏ। ଏହି ଅଞ୍ଚଳର ଦୃଶ୍ୟାବଳୀ, ହିମାଳୟ ଦର୍ଶନ ଏବଂ ଗଛ-ଗଛାଳି ଦେଖିଲେ ବିଦେଶୀ ସ୍ୱିଜରଲ୍ୟାଣ୍ଡ୍ ପାହାଡ଼ ମନେ ପଡ଼େ, ତେଣୁ ପହଲଗାମକୁ ‘ମିନି ସ୍ୱିଜରଲ୍ୟାଣ୍ଡ୍’ କୁହାଯାଏ । ଗତବର୍ଷ ଗୁଡିକରେ ମଧ୍ୟ ଜମ୍ମୁକାଶ୍ମୀରରେ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି କେନ୍ଦ୍ରଶାସିତ ଅଞ୍ଚଳଟି ସମଗ୍ର ଦେଶ ସହ ସହିତ ସଂଯୋଗ ହୋଇଛି ।
ତେବେ ଜମ୍ମୁକାଶ୍ମୀରରେ 370 ଧାରା ଉଚ୍ଛେଦ ହେବା ପରେ ପହଲଗାମ ଉପରେ ଏହା ହେଉଛି ସବୁଠାରୁ ବଡ ଆକ୍ସନ । ଏପ୍ରିଲ 22 ମଙ୍ଗଳବାର ଅପରାହ୍ନ 3ଟା ସମୟ । ଏହି ସ୍ଥାନକୁ ଗାଡି ଯିବା ଆସିବା କରିନଥାଏ । ପାଦରେ ଚାଲି ଚାଲି କିମ୍ୱା ଘୋଡା ପିଠିରେ ବସି ଏଠାକୁ ଯିବାକୁ ହୋଇଥାଏ । ଯାହା ଆତଙ୍କବାଦୀଙ୍କ ପାଇଁ ସହଜଥିଲା । ଆତଙ୍କବାଦୀଙ୍କ ଅସ୍ତ୍ରଥିଲା ସେନା ପୋଷାକ ଓ ମୁଣ୍ଡରେ ହେଲମେଟ । ପ୍ରଥମେ ସେମାନେ ସୁରକ୍ଷା କର୍ମୀ ହେବାର ନାଟକ କରିଥିଲେ ଏବଂ ଲୋକଙ୍କ ବିଶ୍ୱାସ ଜିତି ସେନା ପୋଷାକ ପିନ୍ଧି ଅଞ୍ଚଳରେ ପ୍ରବେଶ କରିଥିଲେ । ସେନା ପୋଷାକ ସାଙ୍ଗକୁ ମୁଣ୍ଡରେ ଥିବା ହେଲମେଟେ ଲାଗିଥାଏ କ୍ୟାମେରା । ସେନା ପୋଷାକ ପିନ୍ଧି ପଶି ଆସିଲେ ଆତଙ୍କବାଦୀ ଆଉ ହଠାତ୍ ଆରମ୍ଭ ହେଲା ଗୁଳିଚାଳନା । ଭୟରେ ଥରୁଥାଏ ସମଗ୍ର ପହଲଗାମ । କଣ ହେଉଛି କେହି କିଛି ବୁଝି ପାରୁନଥାନ୍ତି । ଟେଣ୍ଟ ଭିତରେ ରହି ପର୍ଯ୍ୟଟକ ଭାବୁଥିଲେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ଚାଳନା କରାଯାଉଛି କିନ୍ତୁ ନା ବାହାର ଚିତ୍ର କିଛି ଅଲଗା ଥିଲା ।
ସଙ୍ଗେ ସଙ୍ଗେ ପର୍ଯ୍ୟଟକଙ୍କ ମୁଣ୍ଡରେ ଲାଗିଥିଲା ବନ୍ଧୁକ ଏବଂ ଆତଙ୍କବାଦୀ ପ୍ରଶ୍ନ କରିଥିଲେ ତୁମେ ହିନ୍ଦୁ ନା ମୁସଲିମ । ଯଦି ମୁସଲିମ ବୋଲି କହୁଥିଲେ ତେବେ କଲମା ପଢିବା ପାଇଁ କହୁଥିଲେ ଆଉ ଯିଏ ହିନ୍ଦୁ କହିଲା ସଙ୍ଗେ ସଙ୍ଗେ ତା ଉପରକୁ ଗୁଳିଚାଳନା କରୁଥିଲେ । ଭାରତର ଭୂସ୍ୱର୍ଗକୁ ବୁଲିଯାଇଥିବା କେତେ ଯେ ପର୍ଯ୍ୟଟକ ନିଜର ପ୍ରିୟଜନଙ୍କୁ ହରାଇଲେ ଆଉ ମିନି ସୁଇଜରଲ୍ୟାଣ୍ଡର ବୁଲୁବୁଲୁ ହଠାତ୍ ଏମିତି ହୋଇଯିବ କେହି କେବେ ଭାବିନଥିଲେ । ନିଜର ପ୍ରିୟଜନଙ୍କୁ ହରାଇ ବୁକୁ ଫଟାଇ କାନ୍ଦୁଛନ୍ତି ଲୋକେ । କାଶ୍ମୀରର ସେହି ଧଳା ବରଫ ଆଉ ଚମକୁ ନାହିଁ ବରଂ ରକ୍ତର ହୋଲି ଖେଳି ସାରିବା ପରେ ନିସ୍ତବ୍ଧ ହୋଇଯାଇଛି ସମଗ୍ର କାଶ୍ମୀର ।