ନୂଆ ସରକାରରେ ଘଣ୍ଟାକୁ ଘଣ୍ଟା ବଦଳୁଛି ନେତାଙ୍କ ସ୍ୱର । ନିଜ ବୟାନରେ ସ୍ଥିର ରହିପାରୁନାହାନ୍ତି ବିଜେପି ନେତା । ଯାହାର ଉଦାହରଣ ବିଜେପି ସରକାରକୁ ଆସିବା ଦିନଠାରୁ ଦେଖିବାକୁ ମିଳୁଛି । କେତେବେଳେ ଆଳୁ ପ୍ରସଙ୍ଗକୁ ନେଇ ମନ୍ତ୍ରୀଙ୍କ ବୟାନରେ ତାଳମେଳ ରହୁନି ତ ଆଉ କେତେବେଳେ ମଦ ପ୍ରସଙ୍ଗ ଆଉ ଏବେ ଚାଷୀ ପ୍ରସଙ୍ଗରେ ବି ସମାନ ସ୍ଥିତି । କୌଣସି ପ୍ରସଙ୍ଗରେ ବି ବିଜେପି ନେତା ଏବଂ ମନ୍ତ୍ରୀଙ୍କ ବୟାନ ସ୍ଥିର ରହୁନି । ତେବେ ନିକଟରେ ଲଘୁଚାପ ଜନିତ ଅଦିନିଆ ବର୍ଷା କାରଣରୁ ଚାଷୀକୂଳ ହନ୍ତସନ୍ତ ହୋଇଥିଲା । ସୁନାର ଫସଲ ନଷ୍ଟ ହେବା ଦେଖି ଚାଷୀମାନେ ଆତ୍ମହତ୍ୟା କରିବାକୁ ବି ପଛାଇନାହାନ୍ତି । ଆଉ ଏସବୁକୁ ଦୃଷ୍ଟିରେ ରଖି ଶାସକ ଦଳ ଏବଂ ବିରୋଧୀ ଦଳ ଚାଷୀଙ୍କ ପାଖକୁ ଯାଇ ଧାନ ବିଲ ପରିଦର୍ଶନ କରିବା ସହ ଚାଷୀଙ୍କୁ କ୍ଷତିପୂରଣ ଦେବା ନେଇ ପ୍ରତିଶୃତି ଦେଇଥିଲେ । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଭରଣା ଦେବା ନେଇ ଘୋଷଣା କରିଥିଲେ । କିନ୍ତୁ ପରବର୍ତୀ ସମୟରେ ଏହାକୁ ନେଇ ଆରମ୍ଭ ହୋଇଥିବା ବିଜେପିର ଖେଳ । ପ୍ରଥମେ ସମସ୍ତ ଚାଷୀଙ୍କୁ ଭରଣା ମିଳିବା ନେଇ ଘୋଷଣା କଲେ ପରବର୍ତୀ ସମୟରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ହିଁ ସରକାରୀ ସହାୟତା ମିଳିବା ନେଇ ଘୋଷଣା କଲେ । ଏବଂ ଭାଗଚାଷୀଙ୍କୁ ଏଥିରୁ ବାଦ୍ ଦିଆଯିବା ନେଇ ମନ୍ତ୍ରୀ ବୟାନ ଦେଲେ । କିନ୍ତୁ ଏହାକୁ ନେଇ ବିବାଦ ହେବାରୁ ଏବଂ ବିରୋଧୀ ସ୍ୱର ଉଠାଇବାରୁ ପୁଣି ନିଜ ବୟାନରେ ପରିବର୍ତନ କରି ଏବେ ଭାଗଚାଷୀଙ୍କୁ ବି ଭରଣା ମିଳିବ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ ଆସିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ତେବେ ପାଣି ପଞ୍ଚାୟତ ପକ୍ଷ କାର୍ୟ୍ୟକ୍ରମରେ ମୋହନ ମାଝୀ କହିଛନ୍ତି ଅଦିନିଆ ବର୍ଷାରେ କ୍ଷତି ସହିଥିବା ୬ ଲକ୍ଷ ୬୬ ହଜାରରୁ ଅଧିକ ଚାଷୀଙ୍କୁ ମିଳିବ କ୍ଷତିପୂରଣ। ଆଉ ରିପୋର୍ଟ ଆଧାରରେ ବଞ୍ଚିତ ରହିଯାଇଥିବା କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ବି ମିଳିବ ସରକାରୀ ସହାୟତା। ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ଭାଗଚାଷୀ ମାନଙ୍କ ପାଇଁ ଆଇନ ଅଣାଯିବ । ଏବଂ ଏହାକୁ ନେଇ ବିଜେପି ୭ ମାସ ସରକାରରେ ରହିବା ପରେ ବି ତରବରିଆ ନିଷ୍ପତ୍ତି ନେଉଥିବା ଏବଂ ନିଜ ବୟାନରେ ସ୍ୱଚ୍ଛତା ରଖୁନଥିବା ସାଧାରଣରେ ଚର୍ଚ୍ଚା ଚାଲିଛି ।