କିଏ ନେଇଗଲା ମୁଖ୍ୟମନ୍ତ୍ରୀଙ୍କ ଟଙ୍କା ? ପଇସା ଯୋଗାଡ କରି ଦେଲେ ହେଲେ ଠକାମିରେ କାହିଁକି ପଡିଗଲେ ମୋହନ ? ଖୋଲା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଇଏ କେଉଁଭଳି ବିବୃତ୍ତି ? ସତରେ କଣ ଚିଟଫଣ୍ଡର ଶିକାର ହୋଇଛନ୍ତି କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ?
ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ ମୁଁ ବି ଠକେଇ ଶିକାର ହୋଇଥିଲି । ଚିଟଫଣ୍ଡ ସଂସ୍ଥା ଦ୍ୱାରା 1990 ଏବଂ 2002 ରେ ଠକେଇର ଶିକାର ହୋଇଥିଲି । ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ମୋତେ ଠକିଥିଲେ । ପଇସା ଯୋଗାଡ଼ କରି ଦେଲି ହେଲେ ପରେ ଦେଖିଲା ବେଳେକୁ ସଂସ୍ଥା ନାହିଁ । 1986 ଆଇନରେ ଅପିଲ ବି କରିଥିଲି କିନ୍ତୁ ରାସ୍ତା ଏତେ ଜଟିଳ ଥିଲା ପଇସା ମିଳିଲାନି । 1986 ଆଇନକୁ 2019 ରେ ସଂଶୋଧନ କରାଯଇଛି ।
ବକ୍ତବ୍ୟରେ ନିଜର ଅନୁଭୂତିକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ଥରେ ନୁହଁନ୍ତି ବରଂ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଏହି ଚିଟ ଫଣ୍ଡର ଠକାମିରେ ପଡିଛନ୍ତି । ନିଜର ସଞ୍ଚିତ ଧନକୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡରେ ଲଗାଇଥିଲେ ଏବଂ ପରବର୍ତ୍ତୀ ସମୟରେ ବଡ କେଳେଙ୍କାରୀର ଶିକାର ହୋଇଥିଲେ ଯାହାର ଭରଣା ଏବେ ପର୍ଯ୍ୟନ୍ତ ମଧ୍ୟ ହୋଇନାହିଁ । ଗରିବ ମଧ୍ୟବିତ୍ତଙ୍କୁ ଲୁଟିଥିଲେ 44ଟି ଚିଟଫଣ୍ଡ କମ୍ପାନୀ । ବିଭିନ୍ନ ମାମଲା ହୋଇଥିଲେ ଏବଂ ଆଇନ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ସୁଦ୍ଧା ଲୋକମାନଙ୍କୁ ଟଙ୍କା ଫେରସ୍ତ ମିଳିନଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ବର୍ତ୍ତମାନ ରାଜ୍ୟରେ ବିଜେପି ସରକାରକୁ ଆସିଛି ଏବଂ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଯେ 24 ଘଣ୍ଟା ଭିତରେ ଠକେଇ ହୋଇଥିବା ଚିଟଫଣ୍ଡ ଟଙ୍କା ଫେରସ୍ତ କରାଯିବ ଏବଂ ବର୍ତ୍ତମାନ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ । ସରକାରକୁ ୬ ମାସ ବିତି ଯାଇଥିଲେ ମଧ୍ୟ ଟଙ୍କା ଫେରିପାଇନାହାନ୍ତି ଜମାକାରୀ। ଅନ୍ୟପଟେ ଯେଉଁଠି ମୁଖ୍ୟମନ୍ତ୍ରୀ ଆଇନଗତ ଲଢେଇ ଲଢି ମଧ୍ୟ ଚିଟଫଣ୍ଡ ଟଙ୍କା ପାଇନାହାନ୍ତି ସେତେବେଳେ ସାଧାରଣ ଲୋକଙ୍କୁ କେବେ ଚିଟିଫଣ୍ଡ ଟଙ୍କା ମିଳିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ।