କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ? ବିଜେପିର ଟପ୍ ପୋଷ୍ଟରେ କିଏ ପାଇବ ସ୍ଥାନ ? ଏହାକୁ ନେଇ ଏବେ ବିଜେପି ଶିବିରରେ ଆଲୋଚନା ଜୋରସୋରରେ ଚାଲିଛି । ବର୍ତ୍ତମାନ ଏହି ପଦ ତୁଲାଉଥିବା ଜେପି ନଡ୍ଡାଙ୍କ ପରେ ଏହି ମୁଖ୍ୟ ପଦ କାହାକୁ ମିଳିବ ତାକୁ ନେଇ ଏବେଠୁ ହିଁ ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ଏହି ରେସରେ ଅନେକ ହେଭିୱେଟ ନେତାଙ୍କ ନାଁ ଆଗକୁ ଆସୁଥିବା ବେଳେ ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ସାମିଲ ରହିଛି । କୁହାଯାଉଛି କି ଧର୍ମେନ୍ଦ୍ରଙ୍କୁ ଏହି ପଦ ମିଳିବାର ସମ୍ଭାବନା ସବୁଠୁ ଅଧିକ ରହିଛି । କାରଣ ଜେପି ନଡ୍ଡା ଏବଂ ଅମିତ୍ ଶାହାଙ୍କ ପରେ ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ବହୁତ ଖାସ । ଏହି ଦୁଇ ନେତାଙ୍କ ପରି ଧର୍ମେନ୍ଦ୍ର ମଧ୍ୟ ମୋଦିଙ୍କ ପାଖେ ପାଖେ ରହିଥାନ୍ତି । ଅନ୍ୟପଟେ ଚଳିତଥର ନିର୍ବାଚନରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସନ ଜିତିବା ପରେ ମୋଦିଙ୍କ ଆହୁରି ନିକଟତର ହୋଇପାରିଛନ୍ତି । ଏବଂ ଏଥିପାଇଁ ତାଙ୍କୁ ମୋଦି ନିଜ କ୍ୟାବିନେଟରେ ମଧ୍ୟ ସାମିଲ କରିଛନ୍ତି । ଆଉ ଏବେ ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ବସାଇବା ପାଇଁ ବିଜେପି ଯୋଜନା ଚଳାଇଥିବା କୁହାଯାଉଛି । ତେବେ କେବଳ ଧର୍ମେନ୍ଦ୍ର ନୁହଁନ୍ତି ଧର୍ମେନ୍ଦ୍ରଙ୍କ ସହ ଅନ୍ୟ ହେଭିୱେଟ ନେତା ମଧ୍ୟ ଏହି ପଦ ପାଇଁ ଆଶାବାଦି ରହିଛନ୍ତି । ଏହି ରେସରେ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ବିନୋଦ ତାୱଡେ, କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରି ବିଜେପିର ଅନେକ ବରିଷ୍ଠ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ୨୮ଜୁଲାଇ ପରେ ଦେବେନ୍ଦ୍ର ଫଡନାବିସଙ୍କ ନାଁ ବି ରେସରେ ସାମିଲ ହୋଇଛି । ଓବିସି କାର୍ଡ, ଆଗାମୀ ନିର୍ବାଚନ, ବିଜେପି-ଆରଏସଏସର କେନ୍ଦ୍ରୀୟ ନେତାଙ୍କ ସହ ଘନିଷ୍ଠତା ଭଳି ବିଭିନ୍ନ ଆଧାରରେ ଫଡନାବିସଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ସାଂଗଠନିକ ଦକ୍ଷତା ସାଙ୍ଗକୁ ଲମ୍ବା ରାଜନୈତିକ ଅଭିଜ୍ଞତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସର୍ବୋଚ୍ଚ ପଦରେ ବସିପାରନ୍ତି ବୋଲି କୁହାଯାଉଛି । ତେବେ ଦେଖାଯାଉ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସତ ହେଉଛି ନା ନାହିଁ ତାହା ଦେଖିବାର କଥା ।

You can share this post!
author