ସାଧାରଣତଃ ଝିଅମାନେ ନିଜ ତ୍ୱଚା ଏବଂ କେଶର ଅଧିକ ଯତ୍ନ ନେଇଥାନ୍ତି । ନିଜକୁ ସୁନ୍ଦର କରି ସଜେଇବା ସହିତ ନିଜ କେଶକୁ ଘନ ଓ ମଜଭୁତ କରିବା ପାଇଁ ନାନା ପ୍ରକାର ପନ୍ଥାକୁ ଆପଣେଇଥାନ୍ତି । ଆଜିକାଲିର ସୋସିଆଲ ମିଡିଆ ଯୁଗରେ ହାତ ପାହାନ୍ତରେ ସବୁ ସମସ୍ୟାର ସମାଧାନ ରହିଥାଏ । କିନ୍ତୁ କେଶ ଝଡିବା ଆଜିକାଲି ଯୁବପିଢିଙ୍କ ପାଇଁ ଏତେବଡ ସମସ୍ୟା ହୋଇଯାଇଛି ଯେ ଯାହାର ସମାଧାନ ପାଇଁ ଯେକୌଣସି ଉପାୟ ଦେଲେ ମଧ୍ୟ କମ ପଡୁଛି । ତେବେ ଆସନ୍ତୁ ଜାଣିବା ମୁଖ୍ୟତଃ ଖେସ ଝଡିବାର କାରଣ କଣ ଓ କଣ କଲେ ଆପଣଙ୍କ କେଶ ଘନ ଏବଂ ଲମ୍ୱା ରହିବ….
ଦର୍ଶକବନ୍ଧୁ ସବୁବେଳେ ଚିନ୍ତା,କାମର ଚାପ,ବୟସ,ପରିବେଶ ପ୍ରଦୂଷଣ,ଗର୍ଭଧାରଣ ସମସ୍ୟା ପାଇଁ କେଶ ଝଡିଥାଏ ତାହା ନୁହେଁ । ଅନେକ ସମୟରେ ଆମ ଶରୀରରେ କେତୋଟି ନିର୍ଦ୍ଧିଷ୍ଟ ଖାଦ୍ୟସାର ଅଭାବ ହେତୁ କେଶ ଝଡିବା ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ରକ୍ତହୀନତାରେ ମଧ୍ୟ ହିମୋଗ୍ଲୋବିନର ମାତ୍ରା କମ୍ ରହୁଥିବା କାରଣରୁ କେଶ ଝଡିବା ସମସ୍ୟା ଦେଖାଯାଏ। ଲୌହସାର ଅଭାବରେ କେଶର ଘନତ୍ୱ ପତଳା ହେବା ସହ ଥକ୍କା ଲାଗିବା, ଅଳ୍ପ କାମ କରି ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ପରି ସମସ୍ୟା ଦେଖାଯାଏ। ଖାଦ୍ୟରେ ପାଳଙ୍ଗ ଓ ସଜନା ଶାଗ, ମସୁର ଡାଲି, କଦଳୀ, ସଜନା ଛୁଇଁ, ଅଣ୍ଡା, ଖଜୁରୀ, ସାମିଲ୍ କରିବା ଦ୍ୱାରା ଲୌହସାରର ଉଚିତ ମାତ୍ରା ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ଶରୀର ସୁସ୍ଥ ରହିବା ସହିତ କେଶକୁ ମଧ୍ୟ ପୋଷଣ ମିଳିଥାଏ ।
କେବଳ ସେତିକି ନୁହେଁ ବରଂ ଭିଟାମିନ୍ Aର ଅଭାବ କାରଣରୁ ମୁଣ୍ଡର ତ୍ବଚା ରୁକ୍ଷ ଓ ଶୁଷ୍କ ହୋଇଯାଏ। ଯାହା ଦ୍ୱାରା କୁଣ୍ଡାଇ ହେବା, ରୂପି ସମସ୍ୟା ଅଧିକ ଦେଖାଯାଏ ଏବଂ କେଶ ଝଡିବା ସମସ୍ୟା ଦେଖାଯାଏ। ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ଫଳ ଓ ପନିପରିବା, ବିଭିନ୍ନ ପ୍ରକାର ଶାଗ, କଲିଜା, ମାଛ ଏବଂ କ୍ଷୀରଜାତ ଦ୍ରବ୍ୟ ଭିଟାମିନ୍ A ର ଉତ୍ତମ ସ୍ରୋତ ଅଟେ । ତେଣୁ ଆପଣ ଯଦି ଘନ ଓ ଲମ୍ୱା କେଶ ଚାହୁଁଛନ୍ତି ତେବେ ଏହି ସବୁ ନିୟମ ଆପଣାନ୍ତୁ ଏବଂ ନିଜ କେଶର ଠିକ୍ ଭାବରେ ଯତ୍ନ ନିଅନ୍ତୁ ।