ସମୟ ବଦଳିବା ସହିତ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଦିନ ଥିଲା ସାଧାରଣତଃ ଘରେ ଛୁଆମାନେ ସକାଳ ଖାଦ୍ୟରେ ଚୁଡା ଛତୁଆ ଖାଦ୍ୟ ଖାଉଥିଲେ । କିନ୍ତୁ ବର୍ତ୍ତମାନର ବଦଳୁଥିବା ସମୟ ସହିତ ତାଳ ଦେଇ ଚାଲୁଥିବା ପିଲାମାନେ ଏବେ ଚୁଡା ଛତୁଆ ଠାରୁ ଅଧିକ ମ୍ୟାଗି ଖାଇବାକୁ ପସନ୍ଦ କରୁଛନ୍ତି । ଆଜିର ଶିଶୁମାନେ ଇନଷ୍ଟାଣ୍ଟ ଖାଦ୍ୟ ପାଇଁ ଖୁବ୍ ପ୍ରଲୋଭିତ। ଦୁଇ ମିନିଟ୍ରେ ପ୍ରସ୍ତୁତ ମ୍ୟାଗି ହେଉ କିମ୍ୱା ଚାଓମିନ୍, ଏହା ଏବେ ସବୁ ବର୍ଗଙ୍କ ପସନ୍ଦର ଖାଦ୍ୟ ପାଲଟିଛି । କିନ୍ତୁ ବଦଳୁଥିବା ଦୁନିଆରେ ଏହି ମ୍ୟାଗି ଓ ଚାଓମିନ ଖାଦ୍ୟ ଗୁଡିକ ଆମ ଶରୀର ପାଇଁ ଉପଯୋଗୀ ନା ଅନୁପଯୋଗୀ ଆସନ୍ତୁ ଜାଣିବା ଏହି ରିପୋର୍ଟରେ…
ବଜାରରେ ବିଭିନ୍ନ ପ୍ରକାରର ପ୍ୟାକଟରେ ଭଳି ଭଳି କି ନୁଡୁଲ୍ସ ବାରମ୍ୱାର ପ୍ରକ୍ରିୟାକୃତ ହୋଇ ପ୍ରସ୍ତୁତ ହୋଇଥାଏ । ଏହାକୁ ପ୍ରସ୍ତୁତ କରିବା ସମୟରେ ଟ୍ରାନ୍ସ ଫ୍ୟାଟ ଓ ସୋଡିୟମ ଦେଇ ପ୍ରକ୍ରିୟାକରଣ କରାଯାଏ । କେତେକ ନୁଡଲ୍ରେ ମହମର ଆସ୍ତରଣ ବା କୋଟିଂ ଦିଆଯାଏ ଯାହା ନିୟମିତ ସେବନ ଦ୍ୱାରା ଲିଭର୍ ପ୍ରଭାବିତ ହୋଇଥାଏ। ଆଉ ଏକ କ୍ଷତିକାରକ ରସାୟନ ପଲିପ୍ରୋପାଇଲିନ୍ ଗ୍ଲାଇକଲ୍ ଯାହା ଏଥିରେ ଥାଏ ତାହା ଶିଶୁମାନଙ୍କ ହୃତ୍ପିଣ୍ଡ ଓ ଖାଦ୍ୟନଳୀରେ ଜମାହୋଇରହିଯାଏ। ପରେ ଏହା ବିଭିନ୍ନ ହୃଦ୍ଜନିତ ସମସ୍ୟା ସୃଷ୍ଟି କରିପାରେ। ଅନେକ ରେଡିମେଡ୍ ନୁଡଲ୍ରେ ସାଇଟ୍ରିକ୍ ଏସିଡ୍ ପରିମାଣ ଅଧିକ ଥାଏ ଯାହା ଖାଇବା ପରେ ଆପଣଙ୍କ ଏସିଡ୍ ସମସ୍ୟା ବଢ଼ିଥାଏ ।
ସହଜରେ ଶୀଘ୍ର ହୋଇପାରୁଥିବା ଖାଦ୍ୟ ମଧ୍ୟରେ ଇନଷ୍ଟାଣ୍ଟ ନୁଡଲ୍ ହିଁ ସମସ୍ତଙ୍କ ପ୍ରଥମ ପସନ୍ଦ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନୁଡୁଲ୍ସ ସାଧାରଣତଃ ମଇଦାରେ ପ୍ରସ୍ତୁତ ହୋଇଥାଏ । ଏବଂ ଏହି ମଇଦାର ଅତ୍ୟଧିକ ସେବନ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଯଦି ଆପଣ ଡାଇବେଟିକ୍ ତେବେ ଏଥିରୁ ଦୂରେଇ ରୁହନ୍ତୁ। ତେବେ ଏଭଳି ଖାଦ୍ୟରୁ ନିବୃତ ରହି ନିଜ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଲେ ଆପଣ ଏକ ସୁନ୍ଦର ଜୀବନଯାପନ କରିପାରିବେ ।