ରାଜନୀତିରେ ନଥାଇ ମଧ୍ୟ ସୌମ୍ୟଙ୍କ ରାଜନୈତିକ ବୟାନ ବାଜିକୁ ନେଇ ଚର୍ଚ୍ଚା । ହଁ ଆଜ୍ଞା ଏକଦା ବିଜେଡିର ହେଭିୱେଟ ନେତା ଥିବା ତଥା ପୂର୍ବତନ ବିଧାୟକ ସୌମ୍ୟ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ ହେବା ପରେ ନବୀନ ପଟ୍ଟନାୟକଙ୍କୁ ନେଇ ଦେଉଛନ୍ତି ବଡ ବୟାନ । ଖୋଲା ମଞ୍ଚରେ ନାଁ ନନେଇ ନବୀନଙ୍କୁ କଟାକ୍ଷ କରୁଛନ୍ତି । ଜଗତସିଂହପୁର ଜିଲ୍ଲାର ନୌଗାଁ ମହସ୍ତୋବରେ ଯୋଗଦେଇଥିଲେ ଏହି ବରିଷ୍ଠ ରାଜନେତା । ସେଠାରେ ବର୍ତ୍ତମାନର ବିଜେପି ସରକାର ଓ ପୂର୍ବର ବିଜେଡି ସରକାରକୁ ନେଇ ଯେଉଁ ବୟାନ ଦେଇଥିଲେ ତାହା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି ।
ଖୋଲା ମଞ୍ଚରେ ସୌମ୍ୟ କହିଥିଲେ କି ଗତ ନିର୍ବାଚନରେ ଲୋକମାନେ ପରିବର୍ତ୍ତନ ଚାହିଁଲେ ଏବଂ ଶେଷରେ ପରିବର୍ତ୍ତନ ହେଲା କିନ୍ତୁ ବିଜେପି କହିବୁଲୁଥିବା ଓଡିଆ ଅସ୍ମିତାର ଏବେ ପର୍ଯ୍ୟନ୍ତ ବିଜୟ ହୋଇନାହିଁ ବରଂ ବିରୋଧି ବିଜେଡିକୁ କଟାକ୍ଷ କରି କହିଛନ୍ତି ଅହଙ୍କାରର ପରାଜୟ ହୋଇଛି । ଓଡିଆ ଅସ୍ମିତାର ବିଜୟ କରିବାକୁ ହେଲେ ଆହୁରି ପରିଶ୍ରମ କରିବାକୁ ହେବ ବୋଲି ବିଜେପିକୁ ପରାମର୍ଶ ଦେଇଛନ୍ତି ସୌମ୍ୟ । ତେବେ ସୌମ୍ୟଙ୍କ ଏହି ବୟାନ ପରେ ବିଜେପିର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । କିନ୍ତୁ ସୌମ୍ୟଙ୍କୁ କଡା ଜବାବ ଦେଇଛି ବିଜେଡି । ବିଜେଡି ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯଦି ବିଜେଡି ଅହଙ୍କାରରେ ଥିଲା ତେବେ କାହିଁକି ସୌମ୍ୟ ବିଜେଡିରୁ ବିଧାୟକ ହେବା ପାଇଁ ବିକଳ ହେଉଥିଲେ ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତି ସଭା ମଞ୍ଚରେ ସୌମ୍ୟଙ୍କର ଗୋଟିଏ ପରେ ଗୋଟିଏ ବୟାନ ସାମ୍ନାକୁ ଆସୁଛି । ବିଜେଡିକୁ କଟାକ୍ଷ କରୁଛନ୍ତି ଓ ମୋହନଙ୍କୁ ଇସାରା ଦେଉଛନ୍ତି । ନିର୍ବାଚନ ପୂର୍ବରୁ ରାଜନୀତିରେ ସକ୍ରିୟ ନଥିବା ସୌମ୍ୟ ହଠାତ ନିର୍ବାଚନ ସମୟରେ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ଆଉ ଏବେ ବିଜେପି କ୍ଷମତାକୁ ଆସିବା ପରେ ବିଜେପି ସରକାର ଆଡକୁ ଢଳିବା ଏବଂ କଥା କଥାରେ ପୂର୍ବର ବିଜେଡି ସରକାରକୁ ଟାର୍ଗେଟ କରିବା ନେଇ ରାଜନୀତିରେ ସୃଷ୍ଟି ହେଉଛି ହଟଚମଟ । ତେବେ ବରିଷ୍ଠ ରାଜନେତା ସୌମ୍ୟଙ୍କ ଗତିକୁ ନେଇ ମଧ୍ୟ ରାଜନୀତିରେ ଅନେକ ବୟାନ ବାଜି ସୃଷ୍ଟି ହେଉଛି ।