ନାଁ ବଦଳିଲା ରଙ୍ଗ ବି ବଦଳିଲା ହେଲେ ଏବେ ବି ବାଟବଣା ଆମ ବସ୍ । ରାଜ୍ୟ ସରକାର ବସର ନାମ ମୋ ବସ୍ ରୁ ଆମ ବସ କଲେ ସବୁଜ ରଙ୍ଗକୁ ଗେରୁଆ କଲେ କିନ୍ତୁ ଆମ ବସକୁ ନେଇ ଦୀର୍ଘ ଦିନ ହେବ ଦେଖାଯାଉଥିବା ସମସ୍ୟାକୁ ସମାଧାନ କରିବାରେ ଫେଲ ହୋଇଗଲେ । ବିଗତ ଛଅମାସ ମଧ୍ୟରେ ରାଜଧାନୀର ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ ରଚୁଛି ଆମ ବସ୍ । କେତେବେଳେ 11 ବର୍ଷ ଛୋଟ ଛୁଆ ଉପରେ ଆମ ବସ ଚଢିଯାଇ ପ୍ରାଣ ନେଇଯାଉଛି ତ ଆଉ କେତେବେଲେ 50 ବର୍ଷୀୟ ବୃଦ୍ଧଙ୍କ ଉପରେ ଚଢି ଜୀବନ ନେଉଛି । ଏତେ ପରେ ବି ନା ସଜାଗ ହେଉଛି ପ୍ରଶାସନ ନା ବିଭାଗୀୟ ଅଧିକାରୀ ।
ଗତକାଲି ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ମୁଣ୍ଡ ନେଇଛି ମୋ ବସ୍ । ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ବ୍ୟକ୍ତି ଜଣଙ୍କ ଡ୍ୟୁଟି ସାରି ସାଇକେଲରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଆଇଗିଣିଆ ଛକରୁ ମୟୂରୀ ହୋଟେଲ ସମ୍ମୁଖ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ମୃତ ଶରୀର ଖଣ୍ଡ ଖଣ୍ଡ ହୋଇପଡିଥିଲା । ଯାହାଫଳରେ ସ୍ଥାନୀୟ ଲୋକ ତାତି ଉଠିଥିଲେ ଏବଂ ରାସ୍ତାରେ ଯାଉଥିବା ସମସ୍ତ ଆମ ବସ୍ କୁ ଭଙ୍ଗାରୁଜା କରିଥିଲେ । ସ୍ଥିତି ଏପରି ହୋଇଥିଲା ଯେ ସ୍ଥାନୀୟ ଲୋକଙ୍କୁ ଆୟତ୍ତ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ତେବେ ମୃତ ଦେହକୁ ରାସ୍ତାରେ ରଖି ଧାରଣା ଦେଇଥିଲେ ସ୍ଥାନୀୟ ଲୋକେ । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ 4 ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ହଟିଥିଲେ ସ୍ଥାନୀୟ ଲୋକେ ।
ତେବେ ପ୍ରଶ୍ନ ଉଠୁଛି କେବେ ସଜାଗ ହେବ ପ୍ରଶାସନ ? ଆଉ କେତେ ମୁଣ୍ଡ ନେବା ପରେ ଚେତିବେ ରାଜ୍ୟ ସରକାର ? କେବେ ନିଆଯିବ କଡ୍ଡା ପଦକ୍ଷେପ ତାହା ଦେଖିବାର କଥା ।