2024 ମସିହା ରାଜ୍ୟରେ ବଦଳିଲା ସରକାର । ମାଳ ମାଳ ପ୍ରତିଶ୍ରୁତି ଦେଇ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କଲା । ଏହାରି ଭିତରେ ରାଜ୍ୟରେ ବିଜେପି ସରକାରକୁ ସାତମାସ ପୂର୍ଣ୍ଣ ହୋଇଯାଇଛି । କିନ୍ତୁ ନିର୍ବାଚନ ସମୟରେ ଓଡିଶାବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଏବେ ଫିକା ପଡିଯାଇଛି । କେବଳ ରଙ୍ଗ ବଦଳିଛି ଏବଂ ଅନେକ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି । ଖାଲି ସେତିକି ନୁହେଁ ବରଂ ପୂର୍ବର ନବୀନ ସରକାରଙ୍କ ଅନେକ ଜନହିତକର ଯୋଜନା ସବୁକୁ ବନ୍ଦ କରିଦିଆଯାଇଛି । ଲୋକଙ୍କୁ ନା ମାଗଣା 300 ୟୁନିଟ ବିଜୁଳି ମିଳିଲା ନା ବୃଦ୍ଧାଙ୍କୁ 3000 ଟଙ୍କା ଭତ୍ତା । ଏବେ ମୋହନ ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି ଛଅମାସ ବିତିଯାଇଥିଲେ ସୁଦ୍ଧା କାହିଁକି ନିଜ ପ୍ରତିଶ୍ରୁତି ପାଳନ କରିନାହିଁ ଭାରତୀୟ ଜନତା ପାର୍ଟି । କେବଳ ବିଜୁ ଜନତା ଦଳ ନୁହେଁ ବରଂ କଂଗ୍ରେସ ମଧ୍ୟ କହିଛି ବିଜେପି ମିଛ ପ୍ରତିଶ୍ରୁତି ଦେଇ ଓଡିଶାବାସୀଙ୍କୁ ଭଣ୍ଡାଇ ଚାଲିଛି ।
ତେବେ ଏହାରି ଭିତରେ ଶେଷ ହୋଇଯାଇଛି 2024 ବର୍ଷ । ଯେଉଁ ବର୍ଷରେ ଓଡିଆ ଅସ୍ମିତାକୁ ଆୟୁଧ କରି ଭାରତୀୟ ଜନତା ପାର୍ଟି ସରକାର ଗଢିଲା ଆଉ ଭାଙ୍ଗିରୁଜି ଚୁରମାର ହୋଇଗଲା 24 ବର୍ଷର ଗଡ । କେତେ ରାଜନେତାଙ୍କ ଗଡ ଭାଙ୍ଗିଗଲା ଆଉ କେତେ ରାଜନେତାଙ୍କ ଭାଗ୍ୟ ବଦଳିଗଲା । ଆଉ ଯେଉଁ ଓଡିଶାବାସୀ ପରିବର୍ତ୍ତନ ଆଣିଲେ ତାଙ୍କ ପାଇଁ ବୋଧହୁଏ ଅଭିଶାପ ପାଲଟିଗଲା 2024 ବର୍ଷ । କାହିଁକିନା ଗତ ଛଅମାସ ହୋଇଯିବ ରାଜ୍ୟରେ ଦରବୃଦ୍ଧି ଯେଉଁଭଳି ଭାବେ ବୃଦ୍ଧି ପାଉଛି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ ଦର ହୁ ହୁ ହୋଇ ବଢିବାରେ ଲାଗିଛି ତାହା ସାଧାରଣ ଖାଉଟିଙ୍କୁ ସମସ୍ୟାରେ ପକାଇଛି । କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି କହିଲେ ନସରେ । 24 ବର୍ଷ ଶେଷ ହୋଇଗଲା ଆରମ୍ଭ ହୋଇଗଲା 2025 ବର୍ଷ ରାଜ୍ୟରେ ଆଗାମୀ ଦିନରେ କେଉଁ ପରିବର୍ତ୍ତନ ଆସୁଛି ଏବଂ ମୋହନ ସରକାର ପ୍ରତିଶ୍ରୁତି ପାଳନ କରିବାରେ କେତେ ସଫଳ ହେଉଛନ୍ତି ତାହାର ଅପେକ୍ଷା ।