ଶେଷରେ ଚକ୍ରବ୍ୟୁହରେ ଫସିଗଲେ ମୋଦି । ଶାହଙ୍କ ପଦେ କଥାରେ ଚାରୁଆଡୁ ଛନ୍ଦି ହୋଇଗଲାଣି ଭାରତୀୟ ଜନତା ପାର୍ଟୀ । ଗୋଟିଏ ପଟେ ବାବା ସାହେବଙ୍କ ପ୍ରତିମୂର୍ତିରେ ବିଜେପିର ଶୀର୍ଷ ନେତୃତ୍ୱମାନେ କ୍ୟାମେରା ସାମ୍ନାରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛନ୍ତି । କିନ୍ତୁ ଅନ୍ୟପଟେ ତାଙ୍କୁ ଅସମ୍ମାନ କରୁଥିବା ଅଭିଯୋଗ ଆସୁଛି । ଖାସ କରି ସଂସଦରେ ଅମିତ ଶାହଙ୍କ ଏକ ବୟାନ ପାଇଁ ବିଜେପିର ଲୋକପ୍ରିୟତା ମଧ୍ୟ କମୁଥିବା ଚର୍ଚ୍ଚା ହେଉଛି । ବିଭିନ୍ନ ସ୍ଥାନରେ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ଫଟୋରେ ଜୋତା ମାଳ ପିନ୍ଧାଇ ତାଙ୍କୁ ଚପଲରେ ମାରୁଛନ୍ତି । ଏପରିକି ଏହି ନିଆଁ ସାରା ଦେଶର ରାଜନୀତିକୁ ଉଷ୍ମ କରିବା ସହ ଓଡିଶା ରାଜନୀତିକୁ ମଧ୍ୟ ଆହୁରି ଗରମ କରିଛି ।
ତେବେ ସଂସଦରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ନେଇ ଏକ ବଡ ବୟାନ ଦେଇଥିଲେ । ଆମ୍ବେଦକରଙ୍କ ନାଁ ଜପିବା ଛାଡି ଭଗବାନଙ୍କ ନାଁ ଜପିଲେ ୭ ଜନ୍ମ ପ ର୍ଯ୍ୟନ୍ତ ସ୍ୱର୍ଗ ମିଳିଯିବା ନେଇ ମନ୍ତବ୍ୟ ଦେଇଥିଲେ । ଆଉ ଶାହଙ୍କ ଏହି ପଦେ କଥାକୁ ନେଇ ଏବେ ଦିଲ୍ଲୀରୁ ଓଡିଶା ସବୁଠି ରାଜନୀତିର ମାହୋଲ ଉଷ୍ମ ରହିଛି । ସଂସଦ ବାହାରେ ବିରୋଧୀ ଦଳ ଆନ୍ଦୋଳନ କରିବା ସହ ରାସ୍ତାରେ ମଧ୍ୟ ଅପ୍ରୀତିକର ପରସ୍ଥିତି ସୃଷ୍ଟି ହେଉଛି । ବାବା ସାହେବଙ୍କ ଗୋଟିଏ ଗୋଟିଏ ଫଟୋ ଧରି ରାସ୍ତାରେ ଚାଲୁଛନ୍ତି ଶହ ଶହ ନେତା ଓ କର୍ମୀ । ବିଭିନ୍ନ ସଂଙ୍ଘ ପକ୍ଷରୁ ମଧ୍ୟ ଆନ୍ଦୋଳନକୁ ତୀବ୍ର କରାଯିବା ସହ ଅମିତ୍ ଶାହଙ୍କ ଇସ୍ତଫା ଦାବି କରୁଛନ୍ତି । ଏବଂ ବିଜେପିକୁ ତୀବ୍ର ସମାଲୋଚନା କରୁଛନ୍ତି ।