ଜାରି ରହିଛି ବିଜେଡିର ସାଙ୍ଗଠନିକ ନିର୍ବାଚନ । ନୂଆ କମିଟି ଗଠନ କରି ଦଳକୁ ମଜଭୁତ କରିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହଁ ଦର୍ଶକବନ୍ଧୁ ବିଜେଡି ସୁପ୍ରିମୋ ଗଢୁଛନ୍ତି ସୁପର ଟିମ । ଚାଲିଛି ନିର୍ବାଚନ ପ୍ରକ୍ରିୟା କାହାକୁ ନବୀନ ଦେବେ ଦାୟିତ୍ୱ ସେ ନେଇ ଆରମ୍ଭ ହୋଇଛି ଅଙ୍କକଶା । ନିର୍ବାଚନକୁ ସାତମାସ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ବିଜେଡି ନିଜର ରାଜ୍ୟସ୍ତରୀୟ ଟିମ ଗଠନ କରିବାରେ ସଫଳ ହୋଇପାରୁନାହିଁ । ଦଳ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଦୀର୍ଘ 27 ବର୍ଷ ହେବ ଯେଉଁ ଦଳ ଓଡିଶାର କୋଣ ଅନୁକୋଣରେ ଦଉଡୁଥିଲା ସେହି ଦଳର ଗତ ନିର୍ବାଚନରେ ପରାଜୟ ହେଲା । ଏହାପରେ ଭାଙ୍ଗିଛି ବିଜେଡି ସୁପ୍ରିମୋଙ୍କ ନିଦ ।
ଦଳ ବିରୋଧି ମନ୍ତବ୍ୟ ଦେଉଥିଲେ ସଙ୍ଗେ ସଙ୍ଗେ ଦଳରୁ ବହିଷ୍କୃତ କରାଯାଉଥିଲା । କିନ୍ତୁ ଏବେ ସେହି ବହିଷ୍କୃତଙ୍କୁ ପୁଣିଥରେ ଖୋଜିଲେଣି ବିଜେଡି ସୁପ୍ରିମୋ । 2023 ସେପ୍ଟେମ୍ୱର 21ରେ ତତକାଳୀନ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । କିନ୍ତୁ ଏବେ ସୁଧାଂଶୁଙ୍କୁ ପୁଣିଥରେ ଦଳକୁ ଫେରେଇ ଆଣିବା ପାଇଁ ଉଦ୍ୟମ ଜାରି ରହିଥିବା ସ୍ପଷ୍ଟ ଜଣାପଡୁଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଯାଇଛି ଏହି ଅଭିଯାନ ।
ତେବେ ଚର୍ଚ୍ଚା କେବେ ପଡିବ ସୌମ୍ୟଙ୍କ ପାଳି । ଗୋଟିଏ ଦିନରେ ଏହି ଦୁଇ ପୁରୁଖା ନେତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ଆଉ ଏବେ ସୁଧାଂଶୁଙ୍କ ଉପରୁ ବହିଷ୍କୃତ ଆଦେଶ ପ୍ରତ୍ୟାହାର କରାଯାଇଛି । ତେବେ ସୁଧାଂଶୁଙ୍କ ପରେ ସୌମ୍ୟ ପଟ୍ଟନାୟକଙ୍କୁ କେବେ ଖୋଜିବେ ନବୀନ ସାଧାରଣରେ ଏଭଳି କିଛି ଚର୍ଚ୍ଚା ମୁଣ୍ଡ ଟେକିଛି ।
ଦଳର ଅନେକ ପୁରୁଖା ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ଠାରୁ ଆରମ୍ଭ କରି ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ନିର୍ବାଚନ ପୂର୍ବରୁ ଦଳରୁ ବହିଷ୍କାର କରାଯାଇଥିଲା ଆଉ ଏବେ ସେମାନେ ପଦ୍ମ ଦଳର ନେତା । ସେହିପରି ଅରିନ୍ଦମ ରାୟ,ଅନୁଭବ ମହାନ୍ତି ମଧ୍ୟ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ଆଗାମୀ ଦିନରେ ଶଙ୍ଖ ଛାଡିଥିବା କେଉଁ ନେତାଙ୍କ ପାଖକୁ ନବୀନ ନିବାସରୁ ଫୋନ କଲ ଯାଉଛି ତାହା ଦେଖିବାକୁ ଅପେକ୍ଷା ।