ଛନ୍ଦି ହୋଇଗଲେଣି ମୋହନ !

ଛନ୍ଦି ହୋଇଗଲେଣି ମୋହନ !

ଆଉ କେବେ ସୁରୁଖୁରୁରେ ଚାଲିବ ବିଜେପି ସରକାର? ଆଉ କେବେ ବିବାଦ ମୁକ୍ତ ହେବ ମୋହନ ସରକାର ? ଏଭଳି ପ୍ରଶ୍ନ ବିଜେପି ସରକାରକୁ ଆସିବାର ୮ ମାସ ପରେ ବି ସାଧାରଣରେ ମୁଣ୍ଡ ଟେକୁଛି । କାହିଁକି ନା ଏବେ ବି ମୋହନ ସରକାର ଚାରିଆଡୁ ବିବାଦଘେରରେ ଫସିଥିବା କୁହାଯାଉଛି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ହେଉ ବା ଯୋଗାଣ ମନ୍ତ୍ରୀଙ୍କ ମିଛ ବୟାନକୁ ନେଇ ହେଉ ବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଖାମ ଖିଆଲ ମନୋଭାବକୁ ନେଇ ହେଉ । ସବୁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାୟୀ କରାଯିବା ସହ ଡବଲ ଇଞ୍ଜିନ ସରକାରର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଛି ।

ତେବେ ସରକାରକୁ ଆସିବା ପରେ ପରେ ଚାଷୀଙ୍କୁ ଖୁସି କରିବା ପାଇଁ ଧାନ ମଣ୍ଡି ଖୋଲିବା ସହ ଧାନର ଏମଏସପି ବୃଦ୍ଧି କରିଥିଲା ବିଜେପି । କିନ୍ତୁ ଏବେ ବି ଅନେକ ଧାନ ମଣ୍ଡିରେ ଅବ୍ୟବସ୍ଥା ଥିବା ପରିଲକ୍ଷିତ ହେବା ସହ ଧାନ ମଣ୍ଡିରୁ ଉଠୁନଥିବା ଦେଖିବାକୁ ମିଳୁଛି । ମିଲର ମାନେ ଚାଷୀଙ୍କୁ ହଇରାଣ କରିବା ସହ ମନଇଚ୍ଛା କଟନୀ ଛଟନୀ କରୁଥିବା ଅଭିଯୋଗ ଆସୁଛି । କିନ୍ତୁ ମନ୍ତ୍ରୀ ସବୁକିଛି ଠିକ୍ ଚାଲିଥିବା ବୟାନ ଦେବା ସହ ଦୁର୍ନୀତିକୁ ଆଦୌ ସହ୍ୟ କରାଯିବନି ବୋଲି ଡିଣ୍ଡିମ ପିଟୁଛନ୍ତି । ଯାହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଛି ।

ସେହିପରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କଥା ତ ନକହିବା ଭଲ । ରାଜ୍ୟରେ ଜିରୋ ଟଲେରାନ୍ସ ନୀତି ଆପଣାଯିବ, କୌଣସି ଅପରାଧୀକୁ ଛଡା ଯିବନି, ଦୁର୍ନତୀ ଏବଂ ମଦ ବନ୍ଦ ଓଡିଶା ବିଜେପି ଗଢିବା ନେଇ ବଡ ବଡ ବୟାନ ଦେଉଥିଲେ ଆଇନ ମନ୍ତ୍ରୀ । କିନ୍ତୁ କ୍ଷମତାରେ ଅନ୍ଧ ହୋଇ ଏ ସବୁକୁ ଏବେ ପାଦରେ ଆଡେଇ ଦେଇଥିବା କୁହାଯାଉଛି । କାହିଁକି ନା ରାଜ୍ୟରେ ବିଜେପି ସରକାରରେ ଆଇନ ବିଶୃଙ୍ଖଳା ବେଶି ବଢୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଦିନ ଦ୍ୱିପହରେ ଚୋରି ଏବଂ ମର୍ଡର ବଢୁଥିବା ଏହାର ନିଚ୍ଛକ ଉଦାହରଣ । କିନ୍ତୁ ତଥାପି କୌଣସି ଆଇନ ବିଶୃଙ୍ଖଳାକୁ ନେଇ ପ୍ରସଙ୍ଗ ଉଠିଲେ ଆଇନ ମନ୍ତ୍ରୀ ବିଜେଡିକୁ ଦାୟୀ କରିବାକୁ ଏବଂ ଗତ ୨୪ ବର୍ଷ ଧରି କଣ ହେଉଥିଲା ସେ ସମ୍ପର୍କରେ ବୟାନ ଦେବାକୁ ପଛାଉ ନାହାନ୍ତି ।

ଅନ୍ୟପଟେ ବିଭିନ୍ନ ସ୍ଥାନରେ ଦୂଷିତ ପାଣି ପିଇ ଝାଡାବାନ୍ତିରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ଏପରିକି ଜୀବନ ହରାଉଛନ୍ତି । କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କିଛି ଫରକ ପଡୁନି । ନା ସେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି ନା ଆକ୍ରାନ୍ତଙ୍କୁ ଭେଟୁଛନ୍ତି । ଯାହାକୁ ନେଇ ମୋହନ ସରକାରରେ ସ୍ୱାସ୍ଥ୍ୟ ବିଭାଗ ନିଘୋଡ ନିଦରେ ଥିବା କହି ବିରୋଧୀ ସମାଲୋଚନା କରୁଛନ୍ତି । ଆଉ ଏସବୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାଗେଟ କରାଯିବା ସହ ବିଜେପି ଉପରୁ ସାଧାରଣ ଲୋକଙ୍କ ଭରଷା ତୁଟୁଥିବା ଆଲୋଚନା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *