ଛୋଟ ଡ୍ରେସ ପିନ୍ଧି ଶ୍ରୀମନ୍ଦିର ଜଗା ଦର୍ଶନ ମନା

ଛୋଟ ଡ୍ରେସ ପିନ୍ଧି ଶ୍ରୀମନ୍ଦିର ଜଗା ଦର୍ଶନ ମନା

ପୁରୀ ଜଗନ୍ନାଥ ମନ୍ଦିରରେ ଆସନ୍ତା ନୂଆବର୍ଷରୁ ଲାଗୁ ହେବ ନୂଆ ଆଇନ । ଶ୍ରୀମନ୍ଦିରକୁ ଛୋଟ ଡ୍ରେସ ପିନ୍ଧି ଯିବାକୁ ବାରଣ କରାଯାଇଛି । ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କଲେ ହିଁ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ତେବେ ଏହି ପୋଷାକ ପରିଧାନ ନିୟମ ଭକ୍ତ ମାନଙ୍କ ମହଲରେ ଚର୍ଚ୍ଚାର ବିହୟ ସୃଷ୍ଟି କରୁଛି । ନୀତି ସବ୍ କମିଟି ବୈଠକ ପରେ ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କ ପରିଧାନକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏ ସୂଚନା ପରେ ଭକ୍ତ ମହଲରେ ବହୁ ଚର୍ଚ୍ଚା, ଆଲୋଚନା । ସବୁରି ମନରେ ପ୍ରଶ୍ନ ଶ୍ରୀମନ୍ଦିରକୁ ଗଲେ ପିନ୍ଧିବେ କ\’ଣ ? ପୁରୁଷ କଣ ପିନ୍ଧିବେ ? ମହିଳାଙ୍କ ପରିଧାନ କିଭଳି ରହିବ ? ଛୋଟ ପିଲା କିଭଳି ପୋଷାକ ପିନ୍ଧିବେ ? ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ସଂପର୍କରେ କୁହାଯାଇ ନଥିଲା ବେଳେ ଦଇତାପତି ନିଯୋଗର ସଂପାଦକ କହିଛନ୍ତି ମହିଳାମାନେ ଶାଢି ଓ ସାଲୱାର ପଞ୍ଜାବୀ ଏବଂ ପୁରୁଷମାନେ ପ୍ୟାଣ୍ଟ ସାର୍ଟ ଓ କୁର୍ତ୍ତା-ପଞ୍ଜାବୀ ପିନ୍ଧିପାରିବେ । ୧୨ ବର୍ଷରୁ କମ୍ ପିଲାମାନେ ହ୍ୟାଫ୍ ପ୍ୟାଣ୍ଟ ପିନ୍ଧି ପାରିବେ। କିନ୍ତୁ ପ୍ରାପ୍ତ ବୟସ୍କଙ୍କ ପାଇଁ ଚିରା ଫଟା ପୋଷାକ, ହ୍ୟାପ୍ ପ୍ୟାଣ୍ଟ କିମ୍ବା ସ୍ଲିଭଲେସ୍ ଭଳି ଶରୀରକୁ ପୂର୍ଣ୍ଣ ଆବୃତ୍ତ କରୁ ନଥିବା ପୋଷାକ ପିନ୍ଧି ଶ୍ରୀମନ୍ଦିର ଯାଇ ପାରିବେନି ।

ନୂଆବର୍ଷଠୁ ଏ ନିୟମ କଡ଼ାକଡ଼ି ପାଳନ ହେବାକୁ ଥିବା ବେଳେ ଏନେଇ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି । ଅପରପକ୍ଷେ, ସଚେତନତା ସତ୍ତ୍ୱେ ଯେଉଁ ଭକ୍ତ ମାର୍ଜିତ ପରିଧାନ ବିନା ଶ୍ରୀମନ୍ଦିରରେ ପହଞ୍ଚିବେ, ସେମାନେ ପ୍ରବେଶ ପୂର୍ବରୁ କିଭଳି ଉପଯୁକ୍ତ ପୋଷାକ ପିନ୍ଧିବେ, ସେଥିପାଇଁ ଚାରି ଦୁଆରରେ କ୍ଳକ୍ ରୁମ୍ ଓ ଚେଞ୍ଜିଂ ରୁମ୍ କରାଯିବାକୁ ଦାବି କରିଛନ୍ତି ସେବାୟତ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି । ହେଲେ କିଛି ବୁଦ୍ଧିଜୀବୀ ଏପରି ନିୟମ ଭକ୍ତଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା କହି ବିରୋଧ କରିଛନ୍ତି। ଏପରିକି ଏହିକାରଣରୁ ଯଦି କୌଣସି ଭକ୍ତଙ୍କୁ ମନ୍ଦିର ପ୍ରବେଶରୁ ବଂଚିତ କରାଯାଏ ତାହେଲେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜିଯାଏଁ ମହାପ୍ରସାଦ ଦର ନିର୍ଦ୍ଧାରଣ ହୋଇ ପାରୁନଥିବା, ମୋବାଇଲ୍ କଟକଣା ବି ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁନଥିଲା ବେଳେ ଭକ୍ତ ଓ ସେବାୟତଙ୍କ ସମର୍ଥନ ସତ୍ତ୍ୱେ ପରିଧାନକୁ ନେଇ ଲାଗୁ ହେବାକୁ ଥିବା ଏ ନୂଆ ନିୟମ କିଭଳି କାର୍ଯ୍ୟକାରୀ ହେଉଛି , ଏବେ ତା ଉପରେ ନଜର।

author

Related Articles

Leave a Reply

Your email address will not be published. Required fields are marked *