ଜଣାପଡିଲା କାହିଁକି ଜାନୁଆରୀ ୬ ତାରିଖରେ ରାସ୍ତାକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ । ହଁ ଆଜ୍ଞା, ଜାନୁଆରୀ ୬ ତାରିଖରେ ବିଜେଡି ଆନ୍ଦୋଳନ କରିବା ନେଇ ଗତ ଡିସେମ୍ବର ମାସରୁ ଘୋଷଣା ହୋଇଥିଲା । ବିଜେଡି ନେତାମାନେ ମୋହନ ସରକାରରେ ଯେଉଁ ଅହେତୁକ ଦରଦାମ ବୃଦ୍ଧି ହେଉଛି ସେ ବିରୁଦ୍ଧରେ ସ୍ୱର ଉଠାଇବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଥିଲେ । ହଜାର ହଜାର କର୍ମୀଙ୍କୁ ଏବଂ ନେତାଙ୍କୁ ନେଇ ବିଜେଡି ଏକ ବଡ ଆନ୍ଦୋଳନ କରିଥିଲା । ଯେଉଁଥିରେ ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସ୍ତାରେ ବସି ମୋହନ ସରକାରଙ୍କୁ ସିଧା ସିଧା ଟାର୍ଗେଟ କରିଥିଲେ । ଏବଂ ଏ ସରକାର ମହଙ୍ଗା ମାଡ ସରକାର ବୋଲି କହି କଟାକ୍ଷ କରିଥିଲେ । ଆଉ ନବୀନଙ୍କ ଏ ରୂପ ଦେଖି ସମସ୍ତେ ତାଜୁବ ମଧ୍ୟ ହୋଇଥିଲେ ।
ତେବେ ଜାନୁଆରୀ ୬ ତାରିଖକୁ ବିଜେଡି କାହିଁକି ବାଛିଲା ସେନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଥିଲା । କିନ୍ତୁ ଏହା ପଛର ରହସ୍ୟ ଏବେ ସାମ୍ନାକୁ ଆସୁଛି । ଜାନୁଆରୀ ୬ ତାରିଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ହୋଇଥିବାରୁ ବିଜେଡି ଏହି ଦିନରେ ଆନ୍ଦୋଳନ କରିବାକୁ ଯୋଜନା କରିଥିବା ଆଶଙ୍କା କରାଯାଉଛି । କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନି । କିନ୍ତୁ ବିଜେଡି ଏହାକୁ ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନେଇଥାଇ ପାରେ ବୋଲି ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
ଅନ୍ୟପଟେ ବିଜେଡି ସୁପ୍ରିମୋ ପ୍ରଥମ ଥର ପାଇଁ ଏପରି ରାସ୍ତାରେ ବସି ଆନ୍ଦୋଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏବଂ ଆନ୍ଦୋଳନରେ ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ବର୍ତ୍ତମାନର ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଡବଲ ଇଞ୍ଜିନ ଡବଲ ମାଡ । ଦରବୃଦ୍ଧି ଓ ଏଝଞ ମାଡ଼ରେ ଲୋକ ନୟାନ୍ତ ହୋଇପଡ଼ିଲେଣି । ନିର୍ବାଚନ ବେଳେ ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲା ବିଜେପି । କିନ୍ତୁ ଫିଲ୍ମ ରିଲିଜ ହେଲା ଏମ ଏମ ସରକାର ମହଙ୍ଗା ମାଡ଼ ସରକାର । ସେ ଆହୁରି କହିଛନ୍ତି, ୭ମାସ ହେଇଗଲା କେବେଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ, କିନ୍ତୁ କାମ ଶୁନ । ଆଇ ମା କାହାଣୀ କହି ସରକାର ଖୁସି । ଏବଂ ଆଗାମୀ ଦିନରେ ସାଢେ ଚାରି କୋଟି ଓଡ଼ିଆ ସରକାରଙ୍କ ଅସଲ ଚେହେରା ଖୋଲିବେ ବୋଲି ଏପରି କହି ରାଜରାସ୍ତାରେ ରଣହୁଙ୍କାର ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ପରବର୍ତୀ ସମୟରେ କାଉଣ୍ଟର କରିଥିଲା ବିଜେପି ସରକାର ।