
ବିଧାନସଭାରେ ବିରୋଧିଙ୍କ ହଙ୍ଗାମା, ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳକୁ ବନ୍ଧ କରୁଥିବା ବିରୋଧି ଦଳକୁ କଡାଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକାଶର ବିରୋଧ କରୁଥିବା ଜନ ବିରୋଧି ମାନେ କେବେ ବି ନିର୍ବାଚନ ଜିତି ପାରିବନି । ଜନ ବିରୋଧୀ କାମ କଲେ ବିଧାନସଭାର ବାଟ ବନ୍ଦ । ପବିତ୍ର ଗୃହକୁ ଆଉ ଫେରି ପାରିବେନି ବିକାଶ ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ କଥାରେ ଏବେ ବିକାଶକୁ ବିରୋଧ କରୁଥିବା ନେତା ମନ୍ତ୍ରୀଙ୍କ ମନରେ ଛନକା ପଶିଯାଇଛି । ଚେତାବନୀ ପାଇବା ପରେ ବିରୋଧି ଶିବିରରେ କମ୍ପନ ସୃଷ୍ଟି ହେଲାଣି । ବିକାଶ ଓଡିଶା , ସଶକ୍ତ ଓଡିଶା ନିର୍ମାଣରେ ଯିଏ ବାଧ ଦେବ ସେ ନିର୍ବାଚନ ଜିତି ପାରିବନି । ତା ପାଇ ବିଧାନସଭାର ବାଟ ସବୁଦିନ ବନ୍ଦ ହୋଇଯିବ । ଗତ ଗୁରୁବାର ଅପରାହ୍ନରେ ବିଧାନସଭାରେ ସ୍ୱରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚ ମଞ୍ଜୁର ଦାବି ଆଲୋଚନା ବେଳେ ବିରୋଧୀ ଦଳଙ୍କୁ ଏଭଳି କଡା ଭାଷାରେ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ସ୍ୱାର୍ଥ ପାଇଁ ବିରୋଧୀ ଦଳ ଯେପରି ରାଜ୍ୟର ବିକାଶ କାମକୁ ବିରୋଧ କରୁଛନ୍ତି, ସେଥିରୁ ଜଣାପଡୁଛି ସେମାନେ କେତେଦୂର ହତାଶ ହୋଇଗଲେଣି । ଗୃହରେ ନିଜ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିବା ବଦଳରେ ବିଶୃଙ୍ଖଳା ସୃଷ୍ଟି କରିବାରେ ଲାଗିଛନ୍ତି । ବାରମ୍ବାର ହଟ୍ଟଗୋଳ ପାଇଁ ଅକାରଣରେ ଧୋଇଯାଉଛି ପ୍ରଶ୍ନକାଳ ଓ ଶୂନ୍ୟକାଳ । ବିଜେପି ବିଧାୟକଙ୍କ ଏଭଳି ଆଚରଣକୁ ଦେଖି ଗୃହରେ ମୁଖ୍ୟମନ୍ତ୍ରୀ କହିଥିଲେ , ଯେଉଁମାନେ ଲୋକଙ୍କ ପାଇଁ କାମ କରନ୍ତି ସେମାନେ ପୁଣି ନିର୍ବାଚିତ ହୋଇ ଏହି ପବିତ୍ର ଗୃହକୁ ଆସନ୍ତି, କିନ୍ତୁ ଯେଉଁମାନେ ରାଜନୈତିକ ଉଦେ୍ଦଶ୍ୟ ରଖି ଅପରାଧ ଘଟଣାକୁ ନେଇ ହୀନ ରାଜନୀତି କରନ୍ତି ଏବଂ ବିକାଶ କାମରେ ବାଧା ସୃଷ୍ଟି କରନ୍ତି ସେମାନେ ଆଉ ଗୃହକୁ ଫେରନ୍ତି ନାହିଁ’ । ରାଜ୍ୟବାସୀ ଦେଖୁଛନ୍ତି ବିରୋଧିଙ୍କ କାର୍ଯ୍ୟକଳାପକୁ । ସେମାନେ ବିକାଶ କାମରେ ବାଧା ସୃଷ୍ଟି କରିବା ପାଇଁ କେତେ ବ୍ୟଗ୍ର ତାହା ମଧ୍ୟ ଲୋକେ ଜାଣିପାରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିବୃତି ପରେ କେଉଁ ପ୍ରସଙ୍ଗ ନେଇ ଆସନ୍ତା ନିର୍ବାଚନରେ ରାଜ୍ୟ ବିଜେପି ନେତାମାନେ ଲୋକଙ୍କ ନିକଟତର ହେବେ ଆଉ ସାଧାରଣ ଜନତାଙ୍କ ଠାରୁ ଭୋଟ ଭିକ୍ଷା କରିବେ ତାକୁ ନେଇ ଚିନ୍ତାରେ ପଡିଲେଣି ।