ହରଡଘଣାରେ ପଡିଲେଣି ମୋହନ ସରକାର । ଭାରି ପଡିଲାଣି ଯୋଗାଣ ମନ୍ତ୍ରୀଙ୍କ ବାହାଦୂରୀ । ହଁ ଆଜ୍ଞା, ରାଜ୍ୟରେ ବିଜେପି ସରକାରକୁ ଆସୁ ଆସୁ ରାସନ କାର୍ଡ ଲିଷ୍ଟରେ ଥିବା ଭୂତ ହିତାଧିକାରୀଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା । ଇ-କେୱାଇସି ମାଧ୍ୟମରେ ଯୋଗ୍ୟ ହିତାଧୀକାରୀଙ୍କୁ ରାସନ କାର୍ଡ ଲିଷ୍ଟରେ ସାମିଲ କରିବା ସହ ଭୂତ ହିତାଧୀକାରୀଙ୍କୁ ଏଥିରୁ ହଟାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଏବେ ସେହି ପ୍ରକ୍ରିୟାରେ ବ୍ରେକ ଲାଗିଯାଇଛି । ପ୍ରଥମେ ପ୍ରଥମେ ଏହି ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ଦୈନିକ ୪ରୁ ୫ ଲକ୍ଷ ହିତାଧୀକାରୀଙ୍କ ଇ-କେୱାଇସି ସଂଯୋଗ କରାଯାଉଥିଲା କିନ୍ତୁ ଏବେ ପ୍ରାୟ ୧ ମାସ ହେବ ଦୈନିକ ୩୦ରୁ ୪୦ ହଜାର ହିତାଧୀକାରୀଙ୍କର ଇ-କେୱାଇସି ବି ଅପଡେଟ୍ ହୋଇପାରୁନି । ଫଳରେ ପ୍ରାୟ ୨୪ ଲକ୍ଷ ହିତାଧୀକାରୀଙ୍କ ଭାଗ୍ୟ ଝୁଲି ରହିଛି ।
ଅନ୍ୟପଟେ ୧ରୁ ୧୦ ବର୍ଷ ବୟସ୍କ, ଏବଂ ୬୦ ବର୍ଷରୁ ଉଦ୍ଧ୍ୱ ବୟସ୍କ ବ୍ୟକ୍ତିକର ଟିପ୍ ଚିହ୍ନ ସ୍କାନ ହୋଇପାରୁନଥିବା ଶୁଣିବାକୁ ମିଳୁଛି । ଏମାନଙ୍କ ଟିପ ଚିହ୍ନ ବାୟୋମେଟ୍ରିକ ମେସିନ୍ ନେଇପାରୁନି । ସେହିପରି ଆଧାରକାର୍ଡ ଅପଡେଟ୍ ହୋଇନଥିବାରୁ ଏହା ହିତାଧିକାରୀଙ୍କର ଇ-କେୱାଇସି ସଂଯୋଗ ସମ୍ଭବ ହୋଇପାରୁନି । ଏଭଳି ସ୍ଥିତିରେ ବଳକା ଥିବା ହିତାଧୀକାରୀଙ୍କ ରାସନ କାର୍ଡ ସରକାର କାଟିବେ ନା ଅନ୍ୟ କିଛି ଉପାୟ ଅବଲମ୍ବନ କରିବେ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
ତେବେ ରାଜ୍ୟରେ ମୋଟ୍ ୩ କୋଟି ୨୮ ଲକ୍ଷ ୨୯ ହଜାର ୯୭୦ ଜଣ ହିତାଧିକାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୯୨ ପ୍ରତିଶତ ହିତାଧିକାରୀ ଅର୍ଥାତ ୩ କୋଟି ଲକ୍ଷ ୮୪ ହଜାର ୧୩୭ ଜଣ ହିତାଧିକାରୀଙ୍କର ବର୍ତମାନ ସୁଦ୍ଧା ଇ-କେୱାଇସି ସଂଯୋଗ ସରିଛି । ୫ ଲକ୍ଷ ହିତାଧିକାରୀଙ୍କ ନାମ ରାସନ କାର୍ଡ ତାଲିକାରୁ କଟାଯାଇଛି । ସେହି ସ୍ଥାନରେ କିଛି ନୂଆ ହାତିଧିକାରୀଙ୍କୁ ସାମିଲ ବି କରାଯାଇଛି । କିନ୍ତୁ ଏହା ବାଦ୍ ଆହୁରି ୨୪ ଲକ୍ଷ ହିତାଧିକାରୀଙ୍କ ଭାଗ୍ୟ ଅନିଶ୍ଚିତତା ଭିତରେ ରହିଛି । ଦୀର୍ଘ ମାସ ହେବ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ତାରିଖ ଏଯାଏଁ ବାହାରିପାରୁନି । ତେଣୁ ବଳକା ପଡିଥିବା ଏହି ହିତାଧିକାରୀଙ୍କ ଭାଗ୍ୟ କଣ ହେବ, ସରକାର ଏମାନଙ୍କ ପାଇଁ କଣ ପଦକ୍ଷେପ ନେବେ ତାହା ଦେଖିବାକୁ ଅପେକ୍ଷା ।