ଠକିଦେଲେ ମୋହନ…

ଠକିଦେଲେ ମୋହନ…

ଜୁଲାଇ ମାସରୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବନି । ମାସକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବ ବିଜେପି । ଏ ନାରା ବିଜେପିର ବଡ ବଡ ନେତାମାନେ ନିର୍ବାଚନ ସମୟରେ ଡିଣ୍ଡିମ ପିଟୁଥିଲେ । କିନ୍ତୁ ୬ ମାସ ପରେ ବି ଏ ପ୍ରତିଶୃତି ପାଳନ ହେଲାନି । ଓଲଟା ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୁକ୍ତି ବାଢିଲେ ଯେ, ମାଗଣା ବିଜୁଳିର ସ୍ୱପ୍ନ ଆଉ ଦେଖନ୍ତୁ ନାହିଁ । କୌଣସି ସରକାର ମାଗଣାରେ କିଛି ଦିଅନ୍ତି ନାହିଁ । ଏବଂ ନିଜେ ନିଜେ ବିଜୁଳି ବଞ୍ଚାଇବା ଶିଖନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଯାହାକୁ ନେଇ ସରକାରଙ୍କୁ ଦୋଷ ଦେବା ସହ କାହିଁକି ବିଜେପିକୁ ଭୋଟ ଦେଲୁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ବିଜୁଳି ବିଲ୍ ବଢିବା ଖବର ଶୁଣିବା ପରେ ସାଧାରଣ ଲୋକଙ୍କ ମୁଣ୍ଡରେ ଚଡକ ପଡିଛି । ଆସନ୍ତା ୨୦୨୫-୨୬ ବର୍ଷରେ ବିଜୁଳି ବିଲ୍ ୟୁନିଟ୍ ପିଛା ୫୪ ପଇସା ବଢିବା ନେଇ ସୂଚନା ମିଳିଛି । ୨୦୨୫-୨୬ରେ ବିଦ୍ୟୁତ ପାଇକାରୀ ମୂଲ୍ୟ ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ପାଇଁ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା କରାଯାଉଛି ।

ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସି ନିକଟରେ ଗ୍ରିଡକୋ ଦାଖଲ କରାଯାଇଥିବା ବାର୍ଷିକ ରାଜସ୍ୱ ଆବଶ୍ୟକତା ଦରଖାସ୍ତରେ ବିଦ୍ୟୁତ୍ ଶୁଳ୍କ ବଢାଇବାକୁ ପ୍ରସ୍ତାବ ଦିଆଯାଇଛି । ୨୦୨୩-୨୪ରେ ବିଦ୍ୟୁତ୍ ୟୁନିଟ୍ ପିଛା ପାଇକାରୀ ମୂଲ୍ୟ ୩ ଟଙ୍କା ୨୯ ପଇସା ଥିଲା । କିନ୍ତୁ ସାଧାରଣ ନିବାଚନକୁ ଦୃଷ୍ଟିରେ ରଖି ମୂଲ୍ୟ ବୃଦ୍ଧିରୁ ବିରତ ରହିଥିଲା ବିଜେଡି ସରକାର । ଏବଂ ୟୁନିଟ୍ ପିଛା ପାଇକାରୀ ମୂଲ୍ୟ ୩ ଟଙ୍କା ୨୮ ପଇସାକୁ କମାଇ ଦେଇଥିଲେ । କିନ୍ତୁ ଏବେ ନୂଆ ସରକାରରେ ଅନ୍ୟ ସାମଗ୍ରୀ ପରି ବିଜୁଳି ବିଲ୍ ଦେବା ମଧ୍ୟ କାଠିକର ପାଠ ସାଜିବ ବୋଲି ଆଶଙ୍କା ବଢିଲାଣି ।

ତେବେ ନଭେମ୍ବରରେ ଆବେଦନ କରିଥିବା ଆବେଦନ ପତ୍ରରେ ଆୟୋଗଙ୍କୁ ଗ୍ରିଡକୋ ଜଣାଇଛି ଯେ, ୨୦୨୫-୨୬ରେ ବାର୍ଷିକ ୩୮ ହଜାର ୮୧୪ ୟୁନିଟ୍ ବିଦ୍ୟୁତ ବିକ୍ରି ଯୋଜନା ରହିଛି । ବିଦ୍ୟୁତ୍ କିଣାବିକା ଓ ଅନ୍ୟ ସମସ୍ତ ଆବଶ୍ୟକତାକୁ ହିସାବକୁ ନେଲେ ଏଥିପାଇଁ ପ୍ରାୟ ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ । ତେଣୁ ଉପଭୋକ୍ତାମାନେ ୟୁନିଟ୍ ପିଛା ୩ ଟଙ୍କା ୯୫ ପଇସା ଦେଲେ ସେହି ରାଶି ଭରଣା ହୋଇପାରିବ । ସେହିପରି ଯଦି ରିଟର୍ଣ୍ଣ ଅନ ଇକ୍ୟୁଟିକୁ ବାଦ୍ ଦିଆଯିବ ସେଥିପାଇଁ ୧୪ ହଜାର ୮୨୦ ଟଙ୍କା ଆବଶ୍ୟକ ହେବ । ତେଣୁ ବିଦ୍ୟୁତ୍ ବିଲ୍ ୟୁନିଟ୍ ପିଛା ୩ ଟଙ୍କା ୮୨ ପଇସାରୁ କମ୍ ହେଲେ ଗ୍ରିଡକୋ କ୍ଷତି ସହିବ । ତେଣୁ ଗ୍ରିଡକୋ ଦେଇଥିବା ପ୍ରସ୍ତାବକୁ ଯଦି ଆୟୋଗ ଗ୍ରହଣ କରେ େତେବେ ଆସନ୍ତା ବର୍ଷ ଠାରୁ ବିଦ୍ୟୁତ୍ ବିଲ୍ ବଢିବା ନେଇ ସମ୍ଭାବନା ରହିଛି । ଯାହା ଏବେ ସାଧାରଣ ଲୋକଙ୍କ ମୁଣ୍ଡ ଉପରେ ଚଡକ ପକାଇଛି ।

author

Related Articles

Leave a Reply

Your email address will not be published. Required fields are marked *