ହଠାତ ନବୀନ ଡାକିଲେ ବୈଠକ, ଶଙ୍ଖଭବନ ଧାଇଁଲେ ନେତା । 25 ବର୍ଷ ପରେ ଶଙ୍ଖଭବନରେ ବସୁଛି ବଡ ବୈଠକ । କଣ ରହିବ ନବୀନଙ୍କ ଆଗାମୀ ଆଭିମୁଖ୍ୟ ? ଦଳୀୟ ସ୍ଥିତି ନେଇ ହେବ କି ଆଲୋଚନା ? କି ଶାସକ ଦଳ ବିରୁଦ୍ଧରେ ନବୀନ ପ୍ରସ୍ତୁତ କରିବେ ବଡ ରଣନୀତି ?
ହଁ ଆଜ୍ଞା ନବୀନଙ୍କ ବୈଠକ ଡାକିବା ପରେ ଏହିଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ଉଙ୍କି ମାରୁଛି । ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବିଜେଡିରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଦୀର୍ଘ 25 ବର୍ଷ ପରେ ନବୀନ ପଲିଟିକାଲ ଆଫେୟାରସ୍ କମିଟି ଗଠନ କରିଛନ୍ତି । ମେ ପାଞ୍ଚ ତାରିଖରେ ଉଭୟ ବରିଷ୍ଠ ଓ ଯୁବଙ୍କୁ ଥଇଥାନ କରିବା ପାଇଁ ନବୀନ ନିଜର ନୂଆ ଟିମ ଗଢିଥିଲେ । ଆଉ ଆଜି ସେହି ଟିମର ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ସମସ୍ତ କମିଟି ମେମ୍ୱରଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଥିବା ବେଳେ କଣ ରହିବ ନବୀନଙ୍କ ଆଭିମୁଖ୍ୟ ଏବଂ କେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ ସେ ନେଇ ସସପେନ୍ସ ବଢୁଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମେ ପାଞ୍ଚ ତାରିଖରେ ନବୀନ ଗଢିଥିବା ଏହି ଟିମରେ ଅନେକ ବରିଷ୍ଠ ଓ ଯୁବ ନେତାଙ୍କ ନାଁ ନାହିଁ । ଯେଉଁଥିରେ ସେବେଠାରୁ କମିଟିରୁ ବାଦ ପଡିଥିବା ନେତାମାନଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଛି । ଆଜି ନବୀନ ପ୍ରଥମ ବୈଠକ ଡାକିଥିବା ବେଳେ ବରିଷ୍ଠମାନେ ଏନେଇ ମୁହଁ ଖୋଲିପାରନ୍ତି ବୋଲି ମଧ୍ୟ କୁହାଯାଉଛି । କାହିଁକିନା ନିର୍ବାଚନ ସମୟରେ ବରିଷ୍ଠଙ୍କୁ ଅଣଦେଖା କରିବାର ଫଳ ନବୀନଙ୍କୁ ବୋଗିବାକୁ ପଡିଥିଲା । ଆଉ ବର୍ତ୍ତମାନ କମିଟିରେ ବରିଷ୍ଠଙ୍କୁ ସ୍ଥାନ ନଦେବା ନବୀନଙ୍କୁ ମହଙ୍ଗା ପଡିଛି । ସମସ୍ତ ବରିଷ୍ଠ ନେତା ଏକାଠି ହୋଇ ନବୀନଙ୍କୁ ପ୍ରଶ୍ନ ବାଣ ମାରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।
କେବଳ ଦଳୀୟ କନ୍ଦଳ ନୁହେଁ ବରଂ ମାତ୍ର ମାସ କେଇଟା ପରେ ବିଜେପି ସରକାରକୁ ରାଜ୍ୟରେ ବର୍ଷେ ପୂର୍ତ୍ତି ହେବାକୁ ଯାଉଛି ଏଣୁ ସରକାରଙ୍କ ଦୋଷ ଦୁର୍ବଳତାକୁ ଅସ୍ତ୍ର କରି ଶାସକ ଦଳକୁ ଘେରିବାକୁ ନବୀନ ଚକ୍ରବ୍ୟହ ରଚିପାରନ୍ତି । ତେବେ ଦଳରେ କୁହୁଳିଥିବା ନିଆଁକୁ ଆୟତ୍ତ କରି ସରକାରଙ୍କ ବିରୁଦ୍ଧରେ ଛିଡା ହେବାରେ ନବୀନ ସଫଳ ହୋଇପାରୁଛନ୍ତି ନା ନିଜ ଦଳୀୟ କନ୍ଦଳ ମଧ୍ୟରେ ଛନ୍ଦି ହୋଇ ରହିଯାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।