- ମୁଣ୍ଡ ନେଉଛ ପଳାଶୁଣୀ ଓଭର ବ୍ରିଜ
- କୁଆଡେ ଗଲା ସରକାରଙ୍କ ପଳାଶୁଣୀ ଫୁଟ ଓଭରବ୍ରିଜ ପ୍ରତିଶ୍ରୁତି ?
- ଡେଥ ଜୋନ ପାଲଟିଛି ପଳାଶୁଣୀ…ଚୁପ ମୋହନ-ଅପରାଜିତା !
କୁଆଡେ ଗଲା ନେତାଙ୍କ ଫୁଟ ଓଭର ବ୍ରିଜ ପ୍ରତିଶ୍ରୁତି ? ଗଡୁଛି ମୁଣ୍ଡ ଚେତୁନି ପ୍ରଶାନ । ହଁ ଆଜ୍ଞା ଡେଥ ଜୋନ ପାଲଟିଛି ରାଜଧାନୀ ଭୁବନେଶ୍ୱରର ପଳାଶୁଣୀ ଓବର ବ୍ରିଜ । ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି କିନ୍ତୁ ସରକାରଙ୍କ ଠାରେ ଚେତା ପଶୁନି । ଗତ ଗୁରୁବାର ପଳାଶୁଣୀ ରାସ୍ତା ପାର ହେବା ସମୟରେ ଜଣେ ମହିଳାଙ୍କ ଉପରକୁ ଟ୍ରକ ଚଢିଯାଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କେବଳ ଥରେ ନୁହେଁ ବରଂ ପଳାଶୁଣୀ ଅଞ୍ଚଳରେ ଏଭଳି ଗୋଟିଏ ପରେ ଗୋଟିଏ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟୁଛି । ସାଧାରଣ ଲୋକେ ନିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି ଏକ ଫୁଟ ଓଭର ବ୍ରିଜ । କିନ୍ତୁ ଯାହାକୁ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ସ୍ଥାନୀୟ ଲୋକେ ବାରମ୍ୱାର ଧାରଣା ଦେଇ ଫୁଟ ଓଭର ବ୍ରିଜ ପାଇଁ ଦାବି କରୁଥିଲେ ସୁଦ୍ଧା ପ୍ରଶାସନ ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ କାହିଁକି ନିଆଯାଉନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠୁଛି ।
ଦୁର୍ଘଟଣା ଉପରେ ଘଟୁଛି ଦୁର୍ଘଟଣା । ନିର୍ବାଚନ ସମୟରେ ପୁଳା ପୁଳା ପ୍ରତିଶ୍ରୁତି ଦେଇଥିବା ଭାରତୀୟ ଜନତା ପାର୍ଟି ସରକାର ଏବେ ପ୍ରତିଶ୍ରୁତି ପୂରଣ କରିବାରେ କାହିଁକି ଫେଲ ? ପଳାଶୁଣୀରେ ଫୁଟ ଓଭର ବ୍ରିଜ କରିବା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ମ୍ୟାଡାମ ଏନଏଚଆଇକୁ ଚିଠି ଲେଖିଥିଲେ ଏବଂ ଏନଏଚଆଇ କର୍ତ୍ତୁପକ୍ଷ ଜାଗା ଚିହ୍ନଟ କରିଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ କାହିଁକି କାମ ହୋଇପାରୁନାହିଁ ?
ଓଡିଶା ବାସୀଙ୍କୁ ମାଳ ମାଳ ପ୍ରତିଶ୍ରୁତି ଦେଇ ନିର୍ବାଚନୀ ବୈତରଣୀ ପାର କଲା ବିଜେପି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଆଜି କାର୍ଯ୍ୟ କରିବାରେ ଫେଲ ମାରିଛନ୍ତି ମୋହନଙ୍କ ସରକାର । ଦୀର୍ଘଦିନ ହେବ ପଳାଶୁଣୀ ନିକଟରେ ଫୁଟ ଓଭର ବ୍ରିଜ ତିଆରି ପାଇଁ ଦାବି ହୋଇ ଆସୁଥିଲା କିନ୍ତୁ ସାଂସଦ ମ୍ୟାଡାମଙ୍କ ଦ୍ୱାରା କାହିଁକି ସେ କାମ ଏବେ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ଏବଂ ଆଉ କେତେ ଜୀବନ ଗଲେ ଚେତିବେ ରାଜ୍ୟ ସରକାର ଓ ପ୍ରଶାସନ ତାହା ଦେଖିବାକୁ ଅପେକ୍ଷା ।