ଗଜପତି ଜ଼ିଲ୍ଲା ମୋହନା ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଅଞ୍ଚଳର ବିଭିନ୍ନ ସଂପ୍ରଦାୟର ଆଦିବାସୀ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସେମାନଙ୍କର ଅଭିଯୋଗ – ତହସିଲଦାର ସତ୍ୟବାନ ନାୟକ କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ଅଞ୍ଚଳର ଆଦିବାସୀ ଜନସାଧାରଣଙ୍କ ଜାତି ପ୍ରମାଣ ପତ୍ର, ଆୟଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ପଟ୍ଟା ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁନାହାନ୍ତି l ବିଭିନ୍ନ ଆଳ ଦେଖାଇ ଜନସାଧାରଣଙ୍କ ଜରୁରୀ ବିଭିନ୍ନ ତହସିଲ ସମ୍ବନ୍ଧୀୟ କାର୍ଯ୍ୟକୁ ନାକଚ କରୁଛନ୍ତି | ଯାହା ଫଳରେ ଆଦିବାସୀ ଅଞ୍ଚଳର ଜନ ସାଧାରଣ ତଥା ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହେବା ସହ ଅଯଥା ଖର୍ଚ୍ଚାନ୍ତ ଓ ଦହଗଞ୍ଜ ହେଉଛନ୍ତି l ଏହାର ପ୍ରତିବାଦ କରି ଦଳିତ ଆଦିବାସୀ ଆଞ୍ଚଳିକ ବିକାଶ ପରିଷଦ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ଜନ ଜାଗରଣ ସଂଘର୍ଷ ସମିତି ଭଳି ବିଭିନ୍ନ ଆଦିବାସୀ ସଂଗଠନର ଶତାଧିକ ଛାମୁଆ ନେତା,ଜନ ପ୍ରତିନିଧି ,ସଦସ୍ୟ ଏବଂ ଆଦିବାସୀ ଜନସାଧାରଣ ସ୍ଥାନୀୟ ହାଇସ୍କୁଲ ପଡିଆ ରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ନାରାବାଜି ସହ ସହର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ l
ସେଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବା ସହ ତହସିଲଦାରଙ୍କୁ ତୁରନ୍ତ ବଦଳି ପାଇଁ ଦାବି କରିଥିଲେ l ତହସିଲଦାରଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ବିଡ଼ିଓ ରାଜୀବ କୁମାର ଦାଶଙ୍କୁ ୮ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଡ଼ିଓ ଫୋନ୍ ଯୋଗେ ଗଜପତି ଜ଼ିଲ୍ଲାପାଳଙ୍କୁ ଦାବି ସଂପର୍କରେ ଅବଗତ କରିବା ପରେ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଜ଼ିଲ୍ଲାପାଳ ବିଜୟ କୁମାର ଦାଶ ପ୍ରତିଶୃତି ଦେବାପରେ ଘେରାଉରୁ ହଟିଥିଲେ ଉତ୍ୟକ୍ତ ଜନସାଧାରଣ l ତେଵେ ଯଥାଶୀଘ୍ର ଯଦି ତହସିଲଦାରଙ୍କୁ ଅନ୍ୟତ୍ର ବଦଳି କରାନଯାଏ ତେଵେ ଆଗାମୀ ଦିନରେ ଆନ୍ଦୋଳନକୁ ତିବ୍ରତର କରାଯିବା ସହ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ଆଦିବାସୀ ସଂଗଠନ l