ବଳ ଗୋଟାଉଛି କଂଗ୍ରେସ । ବିଧାନସଭା କମ୍ପାଉଛନ୍ତି କଂଗ୍ରେସର 14 ବିଧାୟକ । ଗୃହ ଭିତରେ କଂଗ୍ରେସର ଗର୍ଜନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । କଂଗ୍ରେସର ସମସ୍ତ ବିଧାୟକଙ୍କୁ ସସପେଣ୍ଡ କରିବା ମୋହନ ସରକାରଙ୍କୁ ଏବେ ମହଙ୍ଗା ପଡିଛି । ଏକାଠି ହୋଇଛନ୍ତି କଂଗ୍ରେସର ହଜାର ହଜାର କର୍ମୀ । ବିଧାନସଭା ଘେରାଉ କରି ନିଜର ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ଦଳ । ସେପଟେ ବିଜେଡି ମଧ୍ୟ ନିଜ ଜିଦରେ ଅଟଳ । ହଁ ଦର୍ଶକବନ୍ଧୁ ଇତିହାସରେ ଯାହା କେବେ ହୋଇନଥିଲା ତାହା ଏବେ ଦେଖିବାକୁ ମିଳୁଛି । ବିଧାନସଭା ଭଳି ପବିତ୍ର ଗୃହରେ ମନ୍ତ୍ରୀ ଭାଷା କହିବା ଏହାପରେ ପୋଲିସ ପୂରାଇ ବିଧାୟକଙ୍କୁ ମାଡ ମାରିବା ଘଟଣାରେ ହୁଲସ୍ତୁଲ ହେଉଛି ରାଜ୍ୟରାଜନୀତି । ପ୍ରଥମେ ମହିଳା ନିର୍ଯ୍ୟାତନା ପ୍ରସଙ୍ଗକୁ ଗଣ୍ଠି କରି ଗୃହରେ ବେଶ ହଲ୍ଲାପଟ୍ଟା କରିଥିଲେ କଂଗ୍ରେସର 14 ବିଧାୟକ । ଘଣ୍ଟ.ଗିନି,ବଂଶୀ ବଜାର ଗୃହରେ ଆରମ୍ଭ କରିଦେଇଥିଲେ ନାରାବାଜି । ଯାହାଦ୍ୱାରା ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ କଂଗ୍ରେସର ସମସ୍ତ ବିଧାୟକଙ୍କୁ ସସପେଣ୍ଡ କରିଥିଲେ । ଠିକ୍ ସେତିକିବେଳେ ନିଆଁରେ ଘିଅ ଢାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାପରେ ଉଗ୍ରରୂପ ଧାରଣ କରିଛି ରାଜ୍ୟ କଂଗ୍ରେସ । ଏକାଠି ହୋଇ ବିଧାନସଭା ଅଭିମୁଖେ ମାଡି ଆସିଛନ୍ତି କଂଗ୍ରେସର ହଜାର ହଜାର କର୍ମୀ ।
ଦୀର୍ଘଦିନ ହୋଇଯିବ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ କଂଗ୍ରେସ ଗୃହ କମିଟି ଗଠନ ନେଇ ଦାବି କରିଆସୁଛି । ସରକାର ଏହାକୁ କର୍ଣ୍ଣପାତ ନକରିବାରୁ ତୁମ୍ୱିତୋଫାନ କରୁଛନ୍ତି କଂଗ୍ରେସର ବିଧାୟକ । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଗୃହ ବିଭାଗ ଖର୍ଚ୍ଚଦାବିରେ କଂଗ୍ରେସକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହା ଦୁର୍ଭାଗ୍ୟଜନକ । ବିରୋଧି କଂଗ୍ରେସ ଅଯଥା ଗୃହ କମିଟି ପାଇଁ ଦାବି କରୁଛି । ଏମିତି କଣ ଘଟଣା ଘଟିଛି ଯେ ଗୃହ କମିଟି ଗଠନ ହେବ । ସର୍ବଦଳୀୟ ବୈଠକରେ ବିଜେଡି ମଧ୍ୟ କହିଛି କି ଏହାର କୌଣସି ଆବଶ୍ୟକତା ନାହିଁ । ସାଢେ ଚାରିକୋଟି ଓଡିଆଙ୍କ ଭାବାବେଗକୁ ନେଇ ପବିତ୍ର ଗୃହରେ ଆଲୋଚନା କରିବା ଏବଂ ଏହାର ସମାଧାନ କରିବା ଉଚିତ । ମିଛ କହିବାର ଗୋଟେ ସୀମା ଅଛି ଗୃହକୁ ନଆସିବା ନାରାବାଜି କରିବା କେଉଁ ପ୍ରକାରର ରାଜନୀତି ଅଟେ ବୋଲି କହି ଗୃହରେ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସବୁ ପରେ ବି ରାଜରାସ୍ତାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇସାରିଛି କଂଗ୍ରେସ ଦଳ । ତେବେ ଦେଖିବାକୁ ବାକି ରହିଲା 14 ବିଧାୟକଙ୍କୁ ସସପେଣ୍ଡ ମୋହନ ସରକାରଙ୍କୁ କେତେ ମହଙ୍ଗା ପଡୁଛି ।