କେଉଁଠି ରହିଲା କେଁ ? କାହିଁକି ଆଗକୁ ବଢିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ? ନିଜକୁ ଲୋକଙ୍କ ସରକାର କହୁଥିବା ମୁଖ୍ୟମନ୍ତ୍ରୀ କାହିଁକି ଜନତାଙ୍କ ପ୍ରିୟ ହୋଇପାରୁନାହାନ୍ତି ? ହଁ ଦର୍ଶକବନ୍ଧୁ ବିଜେପି ସରକାରକୁ ପୂରିଗଲା 300 ଦିନ ହେଲେ ନବୀନଙ୍କ ପରି ଲୋକପ୍ରିୟତା ସାଉଁଟି ପାରିଲେନି ମୋହନ ସରକାର । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ 10 ମାସରୁ ଅଧିକ ସମୟ ବିତିସାରିଥିବା ବେଳେ ଏବେ ବି ହଟ୍ଟହଟ୍ଟା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ମୋହନ ସରକାର ସେହି ଲୋକଙ୍କୁ ଅଣଦେଖା କରୁଛନ୍ତି ।
ସୁଭଦ୍ରା ଯୋଜନାରେ ନାରୀ ସଶକ୍ତିକରଣର ନାରା ଦେଲେ କିନ୍ତୁ ଦୁଇ ବର୍ଷରେ 50 ହଜାର ଦେବେ କହି ପାଞ୍ଚ ବର୍ଷରେ ମହିଳାଙ୍କୁ 50 ହଜାର ଦେବେ ବୋଲି କହିଲେ । ମାଗଣା ବିଜୁଳି ବିଲ କୁଆଡେ ଗଲା ବୋଲି ଲୋକେ ପ୍ରଶ୍ନ ଉଠାଇଲେଣି ? 24 ଘଣ୍ଟା ମଧ୍ୟରେ ଚିଟଫଣ୍ଡ ଟଙ୍କା ଫେରାଇଦେବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ 24 ଘଣ୍ଟା ଯାଇ 300 ଦିନ ପୂର୍ଣ୍ଣ ହୋଇଗଲା ପଛେ ଲୋକଙ୍କୁ ଚିଟଫଣ୍ଡ ଟଙ୍କା ମିଳିଲା ନାହିଁ । ମାଳ ମାଳ ପ୍ରତିଶ୍ରୁତି ଦେଇଥିବା ବିଜେପି ଏବେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିପାରି ହରଡଘଣାରେ ପଡିଛନ୍ତି ।
ସେପଟେ ଦୁଇ ବିରୋଧି ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ କରିଚାଲିଛନ୍ତି । ନାରୀ ସୁରକ୍ଷା ପ୍ରସଙ୍ଗକୁ ଗଣ୍ଠି କରି ବାରମ୍ୱାର ସରକାରଙ୍କୁ ଘେରୁଛି କଂଗ୍ରେସ । ବିଜେଡି ମଧ୍ୟ ନାନା ସମସ୍ୟା ନେଇ ବିଜେପି ସରକାରର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଛି । ହେଲେ ସେସବୁର ଉତ୍ତର ନା ମୋହନ ସରକାର ଦେଇପାରୁଛନ୍ତି ନା ନିଜେ ନିଜ ଲୋକପ୍ରିୟତା ବଢାଇ ପାରୁଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଏବେ ବି ସାଧାରଣ ଜନତାଙ୍କ ଲୋକପ୍ରିୟତା ରହିଛି । ଯାହା ଥରେ ନୁହେଁ କି ଦୁଇଥର ନୁହେଁ ବରଂ ବହୁତ ଥର ପ୍ରମାଣ ହୋଇସାରିଛି । ତେବେ 300 ଦିନ ସରକାରକୁ ପୂର୍ତ୍ତି ହୋଇଛି ହେଲେ ଏବେବି ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ମୋହନ ସରକାର । ତେବେ ଦେଖିବାକୁ ବାକି ରହିଲା ନବୀନଙ୍କ ପରି ଲୋକପ୍ରିୟତା ମୋହନଙ୍କୁ ମିଳିପାରୁଛି ନା ଏହିପରି ବିବାଦରେ ଛନ୍ଦି ହୋଇ ଆଗାମୀ ଚାରି ବର୍ଷ ପର୍ଯ୍ୟନ୍ତ ସରକାର ଚାଲୁଛି ।