ଥରୁଛି ଓଡ଼ିଶା | ଏବେ ରାଜ୍ୟରେ ଜାରି ରହିଛି ଶୀତର ଲହରି । ଜାଡରେ ଥରୁଛି ପୂରା ଓଡିଶା । ବିଭିନ୍ନ ସ୍ଥାନରେ ଘନ କୁହୁଡି ସାଙ୍ଗକୁ କାକରା ବିନ୍ଦୁ ବିନ୍ଦୁ ବରଫରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଏବଂ ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ୬.୮ଡିଗ୍ରୀ ଲେଖାଏଁ ରହିଛି । ୮ ସ୍ଥାନରେ ରାତି ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଛି। ଅନୁଗୋଳରେ ରାତି ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କେନ୍ଦୁଝର ୯.୨, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୯.୪ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ, ନବରଙ୍ଗପୁର ୧୦.୬, ବୌଦ୍ଧ ୧୦, ସୁବର୍ଣ୍ଣପୁର ୧୦.୫, ବଲାଙ୍ଗିର ୧୦.୭, ବାରିପଦା ୧୦.୫, ଭୁବନେଶ୍ବର ୧୩ ଏବଂ କଟକରେ ୧୧.୫ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ଅସହ୍ୟ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଜି ସକାଳେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି । ତେବେ ଏଭଳି ଅବସ୍ଥା ଆଉ ଦୁଇ ଦିନ ଜାରି ରହିବା ବେଳେ ପାଗରେ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।