ଅଭିଭାବକ ଦେଇଥିଲେ ୫ ଦିନର ମହଲତ l ହେଲେ ସମସ୍ୟା ସୁଧୁରିଲାନି l ପିଲାଙ୍କୁ ସଠିକ ଭାବେ ଖାଦ୍ୟ ଦିଆଗଲାନି କି ଶିକ୍ଷକ ନିଯୁକ୍ତି ମଧ୍ୟ ହେଲେନି l ତେଣୁ ବାଧ୍ୟ ହୋଇ ନିଜ ନିଜ ଦିବ୍ୟାଙ୍ଗ ପିଲାଙ୍କୁ ବିଦ୍ୟାଳୟରୁ ନେଇଗଲେ ଅଭିଭାବକ l ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଠାରେ ଥିବା ଏକ ମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ l ଏବେ ନାନାବିଧ ସମସ୍ୟା ଦେଇ ଗତି କରୁଛି ଏହି ବିଦ୍ୟାଳୟ l କେନ୍ଦ୍ରୀୟ ଅନୁଦାନ ରାଶିରେ ଚାଲିଥିବା ଏହି ବିଦ୍ୟାଳୟଟି ବହୁ ପୁରୁଣା ଜିଲ୍ଲାର ଏକମାତ୍ର ଅନୁଷ୍ଠାନ l ଏହି ବିଦ୍ୟାଳୟରେ ରାୟଗଡା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀ ମlନେ ଅଧ୍ୟୟନ କରନ୍ତି l ହେଲେ ଏହି ବିଦ୍ୟାଳୟରେ ଦୀର୍ଘ ୨୫ ବର୍ଷ ହେଲା ପଦବୀ ଜାବୁଡ଼ି ଧରିଥିବା ଏଠାକାର ସମ୍ପାଦକ ଦଣ୍ଡାସି ସାହୁଙ୍କ ମନମୁଖୀ ଓ ବାଟମାରଣା ମନୋଭାବ ଯୋଗୁଁ ଏହା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ବିଦ୍ୟାଳୟର ସଭାପତି ଅଛନ୍ତି ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ l ବିଦ୍ୟାଳୟରେ ମୋଟ ୬୪ ଜଣ ଦିବ୍ୟାଙ୍ଗ ପିଲା ପଢ଼ୁଥିବା ବେଳେ ସରକାରୀ କାଗଜ କଲମରେ ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଦର୍ଶାଯାଉଛି । ଶିକ୍ଷକ ଶିକ୍ଷୟତ୍ରୀ ପଦ ଦୀର୍ଘ ଦୁଇ ବର୍ଷ ହେଲା ଖାଲି ପଡିଛି l ପ୍ରତ୍ୟେକ ବର୍ଷ ବିଜ୍ଞାପନ ଦେଇ କର୍ମଚାରୀ ନିଯୁକ୍ତି ଦେଇ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ ହେଉଛି। ବିଦ୍ୟାଳୟରେ ମୋଟା ଅଙ୍କର ଅର୍ଥ ଦେଇ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମାସିକ ପାଉଣା ନ ମିଳିବାରୁ ସମସ୍ତେ ବିଦ୍ୟାଳୟ ଛାଡିଥିବା ଜଣା ପଢ଼ିଛି l
ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ବଦଳରେ ଏଠାରେ ଟିଭି ଦେଖି , ବାଟିଖେଳି ,ଭଲିବଲ୍ ଓ ଖେଳକୁଦରେ ସମୟ କାଟିବାକୁ ପଡୁଛି ବୋଲି କହିଛନ୍ତି ଛାତ୍ର ଛାତ୍ରୀ l ଖାଇବାକୁ ମଧ୍ୟ ଠିକ ଭାବରେ ମିଳୁନଥିବା ଓ ନିମ୍ନମାନର ଖାଦ୍ୟ ଦିଆଯାଉଥିବା କହିଛନ୍ତି ଶିକ୍ଷାର୍ଥୀ ଓ ଅଭିଭାବକ l ଅନ୍ୟ ପକ୍ଷରେ କିଛି ଦିନ ତଳେ ଅବିଭାବକମlନେ ବିଦ୍ୟାଳୟରେ ଅନୁଷ୍ଠିତ ଅବିଭାବକ ବୈଠକରେ ସମ୍ପାଦକଙ୍କୁ ଶିକ୍ଷକ ଅନୁଷ୍ଠାନରେ ନାହାନ୍ତି ପିଲା କିପରି ପାଠ ପଢିବେ ବୋଲି ସମ୍ପାଦକଙ୍କୁ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ସମ୍ପାଦକ ଉତ୍ତର ନ ଦେଇ ଚାଲିଯାଇଥିଲେ ବୋଲି ଅବିଭାବକ ମାନେ କହିଛନ୍ତି l ଫଳରେ ମଙ୍ଗଳବାର ମଧ୍ୟାହ୍ନରେ ସବୁ ଛାତ୍ର ଛାତ୍ରୀଙ୍କ ବାପା ‘ମା ଆସି ବିଦ୍ୟାଳୟରେ ଅବ୍ୟବସ୍ଥା ଚାଲିଥିବା କହିବା ସହ ପାଞ୍ଚ ଦିନ ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ନ ହୁଅନ୍ତି ତେବେ ଏହି ଅନୁଷ୍ଠାନରେ ପିଲାଙ୍କୁ ରଖି ଭବିଷ୍ୟତ ଅନ୍ଧାର କରିବା ଅପେକ୍ଷା ପିଲାଙ୍କୁ ଘରକୁ ନେଇଯିବୁ ବୋଲି ଚେତାବନୀ ଦେଇଥିଲେ ଅଭିଭାବକ l ଏଥିସହ ଅନୁଷ୍ଠାନରେ ତାଲା ପକାଇବା ପାଇଁ ଚେତାବନୀ ଦେଇଥିଲେ l ତତସହିତ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡ଼ିଏସ ଏସଓ) ସନ୍ତୋଷ କୁମାର ନାୟକଙ୍କୁ ମଧ୍ୟ ବିଦ୍ୟାଳୟର ଅବ୍ୟବସ୍ଥା ସଂପର୍କରେ କହିଥିବା କହିଛନ୍ତି । କିନ୍ତୁ ଫଳ ଶୂନ। ଶେଷରେ ଅବିଭାବକମାନଙ୍କ ମହଲତ ସରିଥିବା ବେଳେ ପ୍ରଶାସନ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ନଦେଇ ନୀରବ ଦ୍ରଷ୍ଟା ରହିଥିବା ଯୋଗୁଁ ବାଧ୍ୟହୋଇ ପିଲାଙ୍କୁ ନେଇ ଘରକୁ ଯାଉଥିବା ଗଣମାଧ୍ୟମକୁ କହିଛନ୍ତି l ଯଦି ଏତେ ଦିନ ଧରି ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି ତେବେ ସେମାନଙ୍କ ଅନୁଦାନ ଟଙ୍କା କୁଆଡେ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଅବିଭାବକ l ଏନେଇ ବିଦ୍ୟାଳୟ ସମ୍ପାଦକ ଦଣ୍ଡlସି ସାହୁଙ୍କୁ ପଚାରିବାରୁ ପିଲାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି ଏବଂ ଅତିଶୀଘ୍ର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି