ଆସନ୍ତା ଫେବୃୟାରୀ ମାସରେ ଦିଲ୍ଲୀରେ ପଡିବ ଭୋଟ । ଆପ ସରକାରକୁ ହଟେଇ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଚାଲିଛି ଅଙ୍କକଶା । ପ୍ରଥମ ଥର ପାଇଁ ଓଡିଶାରେ ଡବଲ ଇଞ୍ଜିନ ସରକାର ହୋଇଛି ଦିଲ୍ଲୀରେ ମଧ୍ୟ ବିଜେପି ସରକାର କରିବା ପାଇଁ ବିଜେପି ଖେଳିଛି ମାଇଣ୍ଡ ଗେମ । ନିଜର ସଂକଳ୍ପ ପତ୍ରରେ ଦିଲ୍ଲୀ ପାଇଁ ହାତ ଖୋଲି ଦେଇଛି ଭାରତୀୟ ଜନତା ପାର୍ଟି । ନିର୍ବାଚନ ପୂର୍ବରୁ ଯୋଜନା ଉପରେ ଯୋଜନା କରି ଭୋଟ ହାତେଇବା ଲକ୍ଷ୍ୟରେ ଦିଲ୍ଲୀର ତିନି ରାଜନୈତିକ ଦଳ ।
ନିକଟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି ବିଜେପି । ଯେଉଁଥିରେ ମହିଳାଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ଼ା କହିଛନ୍ତି । ଗରିବ ମହିଳାଙ୍କୁ ଗ୍ୟାସ ସିଲିଣ୍ଡରରେ ୫୦୦ ଟଙ୍କା ସବସିଡ଼ି ମିଳିବ । ହୋଲି ଦୀପାବଳିରେ ଗୋଟିଏ ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ । ମହିଳାଙ୍କୁ ପ୍ରତିମାସରେ ସମୃଦ୍ଧି ଯୋଜନାରେ ୨୫୦୦ଟଙ୍କା ମିଳିବ । ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ଦିଆଯିବ । ମାତୃତ୍ୱ ଛୁଟି ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରାଯିବାନେଇ ବିଜେପି ନିଜ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । କେବଳ ବିଜେପି ନୁହେଁ ବରଂ ଆପ ଓ କଂଗ୍ରେସ ମଧ୍ୟ ଭୋଟରଙ୍କ ପାଇଁ ଏକ ସେ ବଢକର ଏକ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । କିନ୍ତୁ ଚଳିତ ଥର ବିଜେପି ମହିଳା ଭୋଟ ହାତେଇବା ପାଇଁ ନିଜର ସଂକଳ୍ପ ପତ୍ରରେ ଏଭଳି କିଛି ଘୋଷଣା କରିଥିବା ଚର୍ଚ୍ଚା ।
ତେବେ ଓଡିଶା ପରେ ବିଜେପି ଲକ୍ଷ୍ୟରେ ଦିଲ୍ଲୀ ନିର୍ବାଚନ । ରାଜ୍ୟରେ ବିଜେପି ସରକାର ହେଲା କିନ୍ତୁ ପ୍ରତିଶ୍ରୁତି ପାଳନ କରିବାରେ ପଛରେ ପଡିଗଲେ । ସୁଭଦ୍ରା ଯୋଜନାରେ ଦୁଇ ବର୍ଷରେ 50 ହଜାର ଦେବେ କହି ଏହାକୁ 5 ବର୍ଷରେ ଦେବା ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏହାକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠିଥିଲା । ଆଉ ଏବେ ଏବେ ଦିଲ୍ଲୀ ପାଇଁ ବିଜେପି ଜାରି କରିଥିବା ସଂକଳ୍ପ ପତ୍ରରେ ମହିଳା ମାନଙ୍କୁ ଛାଡିଦେଲେ ବିଜେପିର ଅନ୍ୟ ପ୍ରତିଶ୍ରୁତି ଗୁଡିକ ହେଲା ଆୟୁଷ୍ମାନ ଭାରତ ଯୋଜନା ଦିଲ୍ଲୀରେ ଲାଗୁ କରାଯିବା । ଏଥିରେ ସରକାରଙ୍କ ପକ୍ଷରୁ ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦିଆଯିବ । ୬୦ରୁ୭୦ ବର୍ଷ ବୟସର ବରିଷ୍ଠ ନାଗରିକଙ୍କୁ ୨୫୦୦ ଟଙ୍କା ପେନସନ ଦିଆଯିବ ।
ତେବେ ଯଦି ଦିଲ୍ଲୀରେ ବିଜେପି ସରକାର ହୁଏ ତେବେ ଆଗାମୀ ଦିନରେ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି କେତେ ମାତ୍ରାରେ ସଫଳ ହୋଇପାରୁଛି ତାହା ଦେଖିବାକୁ ଅପେକ୍ଷା ।