ଚାହୁଁ ଚାହୁଁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ବିତିଗଲା ୨ ବର୍ଷ । ହେଲେ ଏଯାଏଁ ସାମ୍ନାକୁ ଆସିପାରିଲାନି ହତ୍ୟା ରଛର ରହସ୍ୟ । ନା ବିଜେଡି ନା ବିଜେପି କେହି ବି ଏ ରହସ୍ୟ ଉପରୁ ପରଦା ଉଠାଇପାରିଲେନି । ନବଦାସଙ୍କ ସମର୍ଥକମାନେ ଆଜି ବି ତାଙ୍କୁ ନ୍ୟାୟ ଦାବି ନେଇ ଏବଂ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଭିନ୍ନ ପ୍ରୟାସ କରୁଥିବା ବେଳେ ସରକାର କିନ୍ତୁ ନିଦାବିଷ୍ଣୁ । ଆଗରୁ ବିଜେପି ନିଜ ଆଡୁ ଏହି ମାମଲାର ତଦନ୍ତ କରି ଦୀପାଳିଙ୍କୁ ନ୍ୟାୟ ଦେବା ନେଇ ବଡ ବଡ ବୟାନ ବାଜି କରୁଥିବା ବେଳେ ଏବେ ଓଲଟା ଦୀପାଳିଙ୍କୁ ବିବାଦକୁ ଠେଲି ଦେଇଛନ୍ତି । ନବ ଦାସଙ୍କ ହତ୍ୟା ମାମଲା ପଛର ଷଡଯନ୍ତ୍ର ଜାଣିବାକୁ ଦୀପାଳି ଇଚ୍ଛୁକ ନଥିବା ପରୋକ୍ଷରେ ମତ ପ୍ରକାଶ ପାଉଛି । କିନ୍ତୁ ଦୀପାଳି ମଧ୍ୟ ନୀରବ ନରହି ଓଲଟା ସରକାରଙ୍କୁ ନିଜ ବାପାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି । ଏପରିକି ପ୍ରଥମ ଥର ପାଇଁ ନବ ଦାସଙ୍କ ପତ୍ନୀ ଗଣମାଧ୍ୟମ ସାମମ୍ନାକୁ ଆସି ନିଜ ସ୍ୱାମୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ଏବଂ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ କରିବା ନେଇ ଦାବି କରିଛନ୍ତି ।
ଅନ୍ୟପଟେ, କ୍ରାଇମବ୍ରାଞ୍ଚ ତଦନ୍ତରେ ଅନେକ ତ୍ରୁଟି ସାମ୍ନାକୁ ଆସିଥିବା ବେଳେ ସେପଟେ ସିବିଆଇ ତଦନ୍ତ ପାଇଁ ଦାବି ବି କେବଳ ଦାବିରେ ରହିଛି। ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି, ସେପଟେ ସରକାର ଲିଖିତ ଭାବେ ଆବେଦନ କରିବାକୁ କହୁଛନ୍ତି। ଏହାରି ଭିତରେ କିନ୍ତୁ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି।
କାହିଁକି ନା ଦୀପାଳି ଲିଖିତ ଭାବେ ସିବିଆଇ ତଦନ୍ତ ଦାବି ନେଇ ବାରମ୍ବାର ବୟାନ ବାଜି କରୁଛନ୍ତି ସତ । ହେଲେ ଏଯାଏଁ ଲିଖିତ ଭାବେ ଆବେଦନ କରିନାହାନ୍ତି । ଯାହାକୁ ନେଇ ଓଲଟା ଦୀପାଳିଙ୍କୁ ଦଳୀୟ ନେତା ପ୍ରଶ୍ନ କରୁଥିବା କୁହାଯାଉଛିା ତେବେ ଘସିପୁରା ବିଧାୟକ ବଦ୍ରି ପାତ୍ର ଦିପାଳିଙ୍କୁ କାହିଁକି ସିବିଆଇ ତଦନ୍ତ ନେଇ ସରକାରଙ୍କୁ ଲିଖିତ ଆବେଦନ କରୁନାହାନ୍ତି ଏବଂ କେବଳ କଥାରେ କହୁଛନ୍ତି ବୋଲି ଗଣମାଧ୍ୟମରେ ବୟାନ ଦେଉଥିବା ନଜର ଆସିଛନ୍ତି ।
ସେପଟେ ପୂର୍ବରୁ ବାପାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ଦୀପାଳି କରି ଆସିଥିବା ବେଳେ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀରେ ମଧ୍ୟ ସମାନ ବୟାନ ଦେଇଥିଲେ । ଏପରିକ ଏ ସମ୍ପର୍କରେ ପରିବାରରେ ଆଲୋଚନା ଚାଲିଥିବା ମଧ୍ୟ କହିଥିଲେ ଦୀପାଳି । ହେଲେ କେବେ ସେ ଲିଖିତ ଆକାରରେ ସରକାରଙ୍କୁ ସିବିଆଇ ତଦନ୍ତ କରିବାକୁ ଦାବି କରିବେ ସେ ସମ୍ପର୍କରେ କିଛି ସ୍ପଷ୍ଟଟା ଆଣିନାହାନ୍ତି । ତେବେ ଦେଖାଯାଉ କେବେ ଦୀପାଳି ସରକାରଙ୍କୁ ସିବିଆଇତଦନ୍ତ ପାଇଁ ଲିଖିତ ଆବେଦନ କରୁଛନ୍ତି ନା ପୁଣି ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ତାହା ଦେଖିବାକୁ ଅପେକ୍ଷା ।