ବେଲଗୁଣ୍ଠା ନିକଟ ଆମ୍ବପୁଆ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା | ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣଙ୍କ ହାଡ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁଁ ମେଡିକାଲରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା l ମିଳିଥିବା ସୂଚନା ଅନୁଯାୟୀ, ବେଲଗୁଣ୍ଠା ଗୋଲା ସାହିର ଏମ୍. ସୁଦାମ ପାତ୍ର ବାଇକରେ କୌଣସି କାମରେ ବେଲଗୁଣ୍ଠାରୁ ଆମ୍ବପୁଆ ଯାଉଥିବା ବେଳେ ବାଲିପଦର ପଟୁ ଆସୁଥିବା ଭଞ୍ଜନଗର ମାଲସାହିର ଶାନ୍ତନୁ କୁମାର ମହାପାତ୍ରଜଙ୍କ ବାଇକ୍ ସହିତ ଧକ୍କା ହୋଇଥିଲା ଉଭୟେ ତଳେ ଛିଟିକି ପଡିଥିଲେ | ଫଳରେ ସୁଦାମର କାନ ଓ ମୁହଁରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡ଼ଃ ଅଂଶୁମାନ ଦିକ୍ଷିତ ସୁଦାମର ପ୍ରାଥମିକ ଚିକିତ୍ସା କରିଥିଲେ ।ମୁହଁରୁ ରକ୍ତସ୍ରାବ ବନ୍ଦ ନ ହେବା ଯୋଗୁଁ ସେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ଜଣାପଡିଛି ।କିନ୍ତୁ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବା ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରରେ
ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ସେହିପରି କିଛି ଲୋକ ଶାନ୍ତନୁକୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶାନ୍ତନୁଙ୍କ ଡାହାଣ କଲର୍ ବୋନ୍ ଭାଙ୍ଗି ଯାଇଥିବା ଜଣାପଡିଛି ।ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଂଚି ବାଇକ୍ ଦୁଇଟିକୁ ଥାନାକୁ ଆଣିଥିବା ବେଳେ ଘଟଣାର ତଦନ୍ତ କରୁଛି ।
