ଧାନ ଗଛ ଧରି ଧାରଣାରେ ବସିଲେ ଚାଷୀ

ଧାନ ଗଛ ଧରି ଧାରଣାରେ ବସିଲେ ଚାଷୀ

ଚ଼ଳିତ ମାସରେ କ୍ରମାଗତ ଭାବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଷୀଙ୍କ ବିପୁଳ ପରିମାଣର କ୍ଷତି ଘଟିଛି। ଯାହାକୁ ନେଇ ଚାଷୀଙ୍କ ଚ଼ିନ୍ତା ବଢ଼ିଯାଇଛି। ସାହୁକାର ଓ ସମବାୟରୁ ଧାର କରଜ କରି ସୁନାର ଫସଲ ଅମଳ କରି ଜୀବନ ଜୀବିକା ନିର୍ବାହ କରି ପରିବାର ପ୍ରତିପୋଷଣ କରିବା ପାଇଁ ସ୍ବପ୍ନ ଦେଖୁଥବା ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଚାଷୀ ନିଜ ଜମିରେ ଧାନ,ମକା, ବିରି, ମୁଗ ଚାଷ କରିଥିଲା ଭଲ ଦି ପଇସା ରୋଜଗାର କରିବା ପାଇଁ ହେଲେ ଲଗାଣ ବର୍ଷା ତା’ର ସ୍ୱପ୍ନକୁ ଧୂଳିସାତ୍ କରିଦେଲା। ଏଣୁ କିଂ କର୍ତ୍ତବ୍ୟ ମୁଢ଼ ଚାଷୀ କ୍ଷତି ପୂରଣ ପ୍ରଦାନ ଦାବିରେ ମୋହନା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛି।

ଶନିବାର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅଧିନ କେରାଖାଲ, କେଶରା, ବଡ଼ମୁଳେଇ, ଗୋବିନ୍ଦପୁର ଆଦି ଗ୍ରାମର ୩୦ରୁ ଉର୍ଦ୍ଧ୍ଵ ଚାଷୀ ମିଳିତଭାବେ ମୋହନା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ଅନୁପସ୍ଥିତିରେ ସୁପରଭାଇଜର୍ ନିରଞ୍ଜନ ସ୍ୱାଇଁଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡ଼ିକ ମଧ୍ୟରେ ରାଜସ୍ଵ ନିରୀକ୍ଷକ କିମ୍ବା କୃଷି ଅଧିକାରୀ ଗାଁ ଗୁଡ଼ିକୁ ଆସି କ୍ଷୟକ୍ଷତି ଆକଳନ ନକରିବା, ଧାନ କଟା ନ ହୋଇ ଜମିରେ ପଡ଼ିରହିଥିବା ଓ କଳେଇ ପଡ଼ି ରହିଥିବା ଧାନର ମୂଲ୍ୟାଙ୍କନ କରିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା,ଭାଗ ଚାଷୀଙ୍କୁ କ୍ଷତିପୂରଣ, କୃଷିଋଣ ଛାଡ଼, ରବି ଫସଲ ପାଇଁ ମାଗଣା ବିହନ, ସାର ଓ କୀଟନାଶକ ଔଷଧ ପ୍ରଦାନ ଓ ବୀମାରାଶି ମିଳିବାରେ ପ୍ରଶାସନ ସହାୟକ ହେବା ଆଦି ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *