ନବୀନ ନିବାସରେ ବଲିଉଡ ଅଭିନେତା । ନବୀନଙ୍କୁ ଆସି ଭେଟିଲେ ବଲିଉଡର ଚର୍ଚ୍ଚିତ ଅଭିନେତା ଦିଲ୍ଲୀପ ତାହିଲ । ହଁ ଆଜ୍ଞା, ବିଜେଡି ସଭାପତି ନବୀନ ପଟ୍ଟନାୟକ ସରକାରରେ ସିନା ନାହାନ୍ତି । କିନ୍ତୁ ଆଜି ବି ଓଡିଶା ନାଁ ଉଠିଲେ ନବୀନଙ୍କ ନାଁ ପ୍ରଥମେ ଆସୁଛି । ଏପରିକି ଓଡିଶା ଆସୁଥିବା ନାମୀଦାମୀ ବ୍ୟକ୍ତିତ୍ୱମାନେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଭୁଲୁନାହାନ୍ତି । ଯାହାର ଉଦାହରଣ ଅନେକ ଥର ଦେଖିବାକୁ ମିଳିଛି ।
ତେବେ ନିକଟରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ବ୍ୟାଡମିଣ୍ଟନ ହାଇପରଫରମାନ୍ସ ସେଣ୍ଟର ଉଦାଘାଟନ ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆସି ଭେଟିଥିଲେ ବ୍ୟାଡମିଣ୍ଟନ ଲିଜେଣ୍ଡ ପି ଗୋପିଚାନ୍ଦ । ନବୀନ ନିବାସରେ ଆସି ନବୀନଙ୍କୁ ସ୍ୱତନ୍ତ୍ର ଭାବେ ଭେଟିଥିଲେ ପୁଲେଲା ଗୋପିଚାନ୍ଦ । ଏପରିକି ହାଇପରଫରମାନ୍ସ ସେଣ୍ଟର ଉଦଘାଟନ ପାଇଁ ନବୀନଙ୍କୁ କୃତଜ୍ଞତା ଜଣାଇଥିଲେ । ବିଜେଡି ସରକାରରେ ଦୂରଦୃଷ୍ଟି ରଖି ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ହାଇପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଥିଲା । ୨୦୨୪ ରେ ଏହାର ନିର୍ମାଣ କାମ ଶେଷ ହୋଇଥିଲା । କିନ୍ତୁ ସରକାର ବଦଳିବା ପରେ ବିଜେପି ଏହାର ଶ୍ରେୟ ନେଇଯାଇ ବିଜେପି ନେତାମାନେ ଏହାର ଉଦଘାଟନ କରିଥିଲେ । କିନ୍ତୁ ଏ କାମର ସମସ୍ତ ଶ୍ରେୟ ନବୀନଙ୍କୁ ଦିଆଯାଉଥିଲା ।
ସେହିପରି ଆସାମର ଆନ୍ତର୍ଜାତୀୟ ଖେଳାଳୀ ହିମା ଦାସ ମଧ୍ୟ ବିଜେଡି ସଭାପତିଙ୍କୁ ଆସି ଭେଟିବା ସହିତ ତାଙ୍କ ଠାରୁ ସମ୍ମାନିତ ହୋଇଥିଲେ । ଆଇଏଏଏଫ ୱାର୍ଲଡ ଚାମ୍ପିୟନ୍ସରେ ଜିତିବା ପରେ ହିମା ଓଡିଶା ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଯାହା ଖୁବ ଚର୍ଚ୍ଚାରେ ମଧ୍ୟ ରହିଥିଲା । ଆଉ ଏବେ ବଲିଉଡ ଅଭିନେତା ଦିଲ୍ଲୀପ ତାହିଲ ମଧ୍ୟ ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଥିବା ନଜର ଆସିଛନ୍ତି । ତେବେ ବିଜୁ ବାବୁଙ୍କ ଅମଳରେ ବିଜୁ ବାବୁଙ୍କ ବିମାନ କମ୍ପାନୀରେ ଦିଲ୍ଲୀପଙ୍କ ବାପା ଜଣେ ପାଇଲଟ ଭାବେ କାମ କରୁଥିଲେ । ଆଉ ଏହି ଦୃଷ୍ଟିରୁ ସେ ଓଡିଶା ଆସିଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ଭେଟିଥିବା ସୂଚନା ମିଳିଛି ।