ଏବେ ବି ମହିଳାଙ୍କ ପ୍ରଥମ ପସନ୍ଦ ହୋଇପାରୁନାହାନ୍ତି ମୋହନ । ଏବେ ବି ନିଜ ସୁଖ ଦୁଃଖରେ ନବୀନଙ୍କୁ ଆଗ ଖୋଜୁଛନ୍ତି ମହିଳା । ହଁ ଆଜ୍ଞା, ବିରୋଧୀ ଆସନରେ ବସିବି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ଲାଇମଲାଇଟରେ ରହୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋହନଙ୍କୁ ଛାଡି ନବୀନଙ୍କ ପାଖକୁ ନିଜ ସମସ୍ୟାର ସମାଧାନ ନିମନ୍ତେ ଧାଇଁ ଯାଉଥିବା ଏବଂ ତାଙ୍କୁ ନିଜ ଦୁଃଖ ଜଣାଉଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ବିଜେପି ଶିବିରରେ ହଲଚଲ ସୃଷ୍ଟି ହେଉଥିବା କୁହାଯାଉଛି । ତେବେ ନବୀନ ନିବାସରେ ନବୀନଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର କିଛି ମହିଳା ନବୀନଙ୍କୁ ଭେଟିଥିବା ଦେଖିବାକୁ ମିଳିଛି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଏସଏଚଜି ଗ୍ରୁପର ମହିଳାମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କୁ ନିଜ ସୁବିଧା ଅସୁବିଧା ସମ୍ପର୍କରେ ଜଣାଇଥିବା ଏବଂ ନବୀନ ସେମାନଙ୍କ ଦୁଖ ଶୁଣି ସମାଧାନର ପ୍ରତିଶୃତି ଦେଇଥିବା ଏହି ଭିଡିଓରୁ ଆଶଙ୍କା କରାଯାଉଛି ।
ତେବେ ପୂର୍ବରୁ ମଧ୍ୟ ବିଭିନ୍ନ ଅଞ୍ଚଳର ଅନେକ ମହିଳା , କର୍ମୀ ନିଜ ନିଜ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦୌଡିଯାଉଥିବା ଦେଖିବାକୁ ମିଳିଛି । ଆଉ ଏଥିରୁ ସରକାରରେ ନଥାଇ ବି ବିଜେଡି ଲୋକଙ୍କ ପ୍ରଥମ ପସନ୍ଦ ସାଜିଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । କିନ୍ତୁ ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଡିଣ୍ଡିମ ପିଟୁଥିବା ବିଜେପି ନେତାମାନେ କେବଳ କଥାରେ ହିଁ ସୀମିତ ରହିଯାଉଛନ୍ତି । କାରଣ ବିଜେପିର ଅଧିକାଂଶ ସଭାରେ ସାଧାରଣ ଲୋକଙ୍କ ଅନୁପସ୍ଥିତି ପରିଲକ୍ଷିତ ହୋଇଛି । କେଉଁଠି ଖାଲି ଚେୟାର ପଡୁଛି ତ ଆଉ କେଉଁଠି ଭଡାରେ ପିଲା ଆସୁଥିବା ନଜିର ରହିଛି । ଆଉ ଏଥିରୁ ବିଜେପିର କଥାରେ ଗୋଟିଏ ଏବଂ କାମରେ ଆଉ ଗୋଟିଏ ଫରକ ନଜର ଆସୁଛି ।
ଅନ୍ୟପଟେ ରାଜ୍ୟରେ ଅନେକ ରାଜନୈତିକ ଦଳ ଥିବା ବେଳେ ଶାସକ ବିଜେପିକୁ କଡା ଟକ୍କର କେବଳ ବିଜେଡି ନେତା ଦେଉଥିବା ଚର୍ଚ୍ଚା ଚାଲିଛି । ରାଜ୍ୟ କଂଗ୍ରେସ ମୁଖିଆ ହୀନ ହୋଇ ପଡିରହିଥିବା ବେଳେ ଶାସକ ବିଜେପି ଘୋଷଣା ଉପରେ ଘୋଷଣା କରିବାରେ ବ୍ୟସ୍ତ ରହୁଛି । ଫଳରେ ସାଧାରଣ ଲୋକଙ୍କ ଏକମାତ୍ର ଭରଷା ସାଜିଛନ୍ତି ବିଜେଡି ସୁପ୍ରିମୋ । ତେବେ ଦେଖାଯାଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେବେ ସାଧାରଣ ଲୋକଙ୍କ ପ୍ରଥମ ପସନ୍ଦ ସାଜୁଛନ୍ତି ଏବଂ ବିଜେଡିକୁ ଲୋକପ୍ରିୟତାରେ ପଛରେ ପକାଉଛି ।