ବିଜେପିକୁ ଜିତାଇ ଭୁଲ କରିଦେଲେ କି ସମୀର ଭାଇନା ? ଉଭୟ ବିଜେପି ଓ ନିମାପଡାରେ କମୁଛି କି ଭାଇନାଙ୍କ ପତିଆରା ? କ୍ଷମତା ମିଳିବା ପରେ ଭାଇନାଙ୍କୁ ଭୁଲି ଗଲେ କି ପ୍ରଭାତି ଅପା ? ପୁଣିଥରେ ନବୀନଙ୍କ ଶରଣକୁ ଫେରିବେ କି ସମୀର ଦାସ ? ଦଳରୁ ସାଇଡଲାଇନ ହୋଇ ରହିଥିବା ନିମାପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସମୀର ଭାଇନାଙ୍କୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ନିର୍ବାଚନ ଠିକ୍ କିଛି ମାସ ପୂର୍ବରୁ ଭାଇନା ବିଜେଡି ଛାଡି ବିଜେପିରେ ସାମିଲ ହେଲେ । ଭଉଣୀ ପ୍ରଭାତି ପରିଡାଙ୍କୁ ଜିତାଇବା ପାଇଁ ନିଜର ଭୋଟବ୍ୟାଙ୍କକୁ ବ୍ୟାବହାର କଲେ । କିନ୍ତୁ ଦଳକୁ ଜିତେଇ ସାରିବା ପରେ ଭାଇନା ଏବେ ଅଲୋଡା ହୋଇପଡିଥିବା ନେଇ କୁହାଗଲାଣି ।
ଗୋଟିଏ ପଟେ ଦାଣ୍ଡରେ ପଡି ହାଟରେ ଗଡୁଛି ବିଜେପିର ଗୋଷ୍ଠୀ କନ୍ଦଳ । ଏହି ଗୋଷ୍ଠୀ କନ୍ଦଳ ଯେ କେବଳ ବିଜେପି ପାର୍ଟି ଅଫିସ ଭିତରେ ସୀମିତ ତାହା ନୁହେଁ ବରଂ ନିମାପଡା ନିର୍ବାଚନ ମଣ୍ଡଳୀରେ ଏହା ଚରମସୀମାରେ ପହଞ୍ଚିଛି । ନିମାପଡା ନିର୍ବାଚନ ମଣ୍ଡଳୀରେ ବିଜେପିରେ ସୃଷ୍ଟି ହୋଇଥିବା ଫାଟ ଜଳ ଜଳ କରି ଦେଖାଯାଉଛି । ପୂର୍ବରୁ ପଣା ସଂକ୍ରାନ୍ତି ସମୟରେ ଆଉ ବର୍ତ୍ତମାନ ତ୍ରିରଙ୍ଗା ଶୋଭାଯାତ୍ରାରେ । ଗୋଟିଏ ଦଳ କିନ୍ତୁ ଶୋଭାଯାତ୍ରା ଅଲଗା ଅଲଗା । ଗୋଟିଏ ଦଳ ଦୁଇ ଭାଗ ହୋଇ ଅଲଗା ଅଲଗା ବିଭିନ୍ନ ଶୋଭାଯାତ୍ରା ଓ କାର୍ଯ୍ୟକ୍ରମ କରୁଛନ୍ତି । ନିର୍ବାଚନ ସମୟରେ ଏକାଠି ଥିବା ସମୀର ଭାଇନା ଓ ପ୍ରଭାତି ଅପା ଏବେ କିନ୍ତୁ ଅଲଗା ଅଲଗା । ଦୁହେଁ ନିଜ ନିର୍ବାଚନ ମଣ୍ଡଳୀରେ ନିଜ ନିଜ କର୍ମୀଙ୍କୁ ଧରି ଅଲଗା ଅଲଗା କାର୍ଯ୍ୟକ୍ରମ କରୁଛନ୍ତି । ଧୀରେ ଧୀରେ ଏହା ବିଜେପିରେ ସୃଷ୍ଟି ହେଉଥିବା କନ୍ଦଳକୁ ପଦାରେ ପକାଇଛି ।
ସାଧାରଣ ନିର୍ବାଚନ ପରଠାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସଙ୍କୁ ଏକାଠି ଦେଖିବାକୁ ମିଳୁନାହିଁ । ଯାହାପରେ ଏବେ ଚର୍ଚ୍ଚା ହେଉଛି କି ପୁଣିଥରେ ନବୀନ ନିବାସ ଫେରିପାରନ୍ତି ସୀମର ଭାଇନା । କାହିଁକିନା ଯେଉଁ ଭାରତୀୟ ଜନତା ପାର୍ଟିକୁ ଭରସା କରି ଦଳରେ ସାମିଲ ହୋଇଥିଲେ ସେହି ଦଳ ଏବେ ସମୀରଙ୍କୁ ଅଣଦେଖା କରୁଛି । ନିମାପଡାରେ ବିଜେପିକୁ ଜିତାଇବାରେ ମୁଖ୍ୟ ଭୂମିକା ନିଭାଇଥିଲେ ସମୀର ଦାସ କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ସମୀରଙ୍କୁ ବିଜେପି ତରଫରୁ କୌଣସି ଗୁରୁ ଦାୟିତ୍ୱ ଦିଆଯାଇନାହିଁ । ତେବେ ଏତେ ସବୁ ପରେ ସମୀରଙ୍କୁ ନେଇ ଏବେ ଏମିତି କିଛି ଚର୍ଚ୍ଚା ମୁଣ୍ଡ ଟେକିଛି । ତେବେ ଏହି କଥା କେତେ ମାତ୍ରାରେ ସତ୍ୟ ହେଉଛି ତାହା ସମୟ କହିବ ।