ପୁଣି ଓଡିଶାବାସୀଙ୍କୁ ଠକିଦେଲେ କି ମୋହନ ? ପ୍ରତିଶ୍ରୁତି ନାଁରେ ପ୍ରତାରଣା କରୁଛି କି ବିଜେପି ସରକାର ? ନବୀନଙ୍କ ଯୋଜନାକୁ ବନ୍ଦ କରି ଓଡିଶାବାସୀଙ୍କୁ ଭୂଆଁ ବୁଲଉଛନ୍ତି କି ମୋହନ ମାଝୀ ? ହଁ ଆଜ୍ଞା ସାତମାସରେ ମୋହନ ସରକାରଙ୍କ ଗୋଟିଏ ପରେ ଗୋଟିଏ ମିଛ ଧରାପଡିବାରେ ଲାଗିଛି । ନୂଆ ସରକାର ନୂଆ ଯୋଜନା ଆଣୁଛନ୍ତି କିନ୍ତୁ ତାହା ଲୋକଭିମୁଖୀ ହୋଇପାରୁନାହିଁ । ଯାହା ଆମେ କହୁନୁ ବରଂ ସାଧାରଣ ଜନତା ନିଜ ମୁହଁରେ ମୋହନଙ୍କ ଯୋଜନାର ନିନ୍ଦା କରୁଛନ୍ତି । ରାଜ୍ୟରେ ବିଏସକେୱାଇ କାର୍ଡର ରୂପାନ୍ତରଣ କରି ନୂଆ ସରକାର ଆୟୁଷ୍ମାନ ଯୋଜନା ଆଣିଲେ କିନ୍ତୁ ସାଧାରଣ ଲୋକଙ୍କ କହିବା ଅନୁଯାୟୀ ବିଏସକେୱାଇ ଭଳି ସୁବିଧା ଯୋଗାଇ ପାରିବ ନାହିଁ ଆୟୁଷ୍ମାନ ଭାରତ ।
ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ ସାତମାସ ପୂରିଛି କିନ୍ତୁ ଆୟୁଷ୍ମାନ ଭାରତ ଲାଗୁ କରିବାରେ ଏବେ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ ମୋହନଙ୍କ ସରକାର । ସେପଟେ ବିଏସକେୱାଇ କାର୍ଡରେ ଯଦିଓ ସାଧାରଣ ଲୋକଙ୍କୁ 10 ଲକ୍ଷ ଟଙ୍କାର ସହାୟତା ମିଳିପାରୁଥିଲା କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରେ 5 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛି ବିଜେପି ଏବଂ 70 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଏହାର ଲାଭ ପାଇପାରିବେ । ଯାହା ସାଧାରଣରେ ଏକ ଅସନ୍ତୋଷ ବୃଦ୍ଧି କରିଛି । କେବଳ ଆୟୁଷ୍ମାନ ନୁହେଁ ସୁଭଦ୍ରା ଯୋଜନାକୁ ନେଇ ଏବେ ପର୍ଯ୍ୟନ୍ତ ବିଜେପି ସରକାରର କୌଣସି ସ୍ପଷ୍ଟତା ସାମ୍ନାକୁ ଆସୁନାହିଁ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇଁ ମହିଳାମାନେ ଚାହିଁ ରହିଥିବା ବେଳେ ସେ ନେଇ ଏବେ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ । ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୂର୍ବର ନବୀନ ସରକାର ଯେଉଁ ପରିବର୍ତ୍ତନ ଆଣିଥିଲେ ତାହା ବର୍ତ୍ତମାନର ସରକାର ପରିବର୍ତ୍ତନ କରିବା ପରେ ଏହା କେତେ ଲୋକାଭିମୁଖୀ ହେଉଛି ଏବଂ ସାଧାରଣ ଜନତା କେତେ ଲାଭ ପାଇପାରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।