ବିଜେଡିର ପିଛା ଛାଡୁନି ବିବାଦ । ନିର୍ବାଚନ ପରଠାରୁ ଯେ ଏବେ ପର୍ଯ୍ୟନ୍ତ ବିଜେଡି କିଛି ବି ଠିକ୍ ଚାଲିଥିବାର ନଜର ଆସୁନି । କେତେବେଳେ ଭିକେ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତୃତ୍ୱ ମୁହଁ ଖୋଲୁଛନ୍ତି ତ ଅନ୍ୟ କେତେବେଳେ ଜଣେ ସାଂସଦ ଆଉ ଜଣେ ସାଂସଦଙ୍କ ଗୋହି ଖୋଳୁଛନ୍ତି । ୱାକଫ ବିଲକୁ ସଂସଦରେ ବିଜେଡି ସାଂସଦଙ୍କ ସମର୍ଥନ ପରେ ତେଜିବାରେ ଲାଗିଛି ରାଜ୍ୟ ରାଜନୀତି । ନିଇତି ନବୀନ ନିବାସରେ ପହଞ୍ଚୁଛନ୍ତି ଦଳର ବରିଷ୍ଠ ନେତୃତ୍ୱ । ନୀରବତା ଭାଙ୍ଗି ବିଜେଡି ସୁପ୍ରିମୋଙ୍କୁ ଠୋ ଠା ପ୍ରଶ୍ନ କଲେଣି ଦଳୀୟ ନେତୃତ୍ୱ ।
ୱାକଫ ବିଲକୁ ସସ୍ମିତଙ୍କ ସମର୍ଥନ ପରେ ବିଜେଡି ସୁପ୍ରିମୋଙ୍କ ନିକଟରେ ପହଞ୍ଚି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ନିଜର ସଂଖ୍ୟାଲଘୁ ନେତା ଓ କର୍ମୀମାନେ ଶୋଭାଯାତ୍ରା କରି ନବୀନ ନିବାସରେ ପହଞ୍ଚିବା ସହିତ ପାଣ୍ଡିଆନ ଗୋ ବ୍ୟାକ ପାଣ୍ଡିଆନ ହଟାଓ ଓ ବିଜେଡି ବଞ୍ଚାଓ ନାରା ଦେଇଛନ୍ତି ମୁନ୍ନାଙ୍କ କର୍ମୀ । ଏବଂ ବିରୋଧି ଦଳ ନେତାଙ୍କୁ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଦାବି କରାଯାଇଛି । ୱାକଫ ବିବାଦ ପରଠାରୁ ରାଜ୍ୟ ରାଜନୀତିରେ ବିଜେଡିକୁ ନେଇ ଅନେକ ଆଲୋଚନା ସମାଲୋଚନା ଆରମ୍ଭ ହୋଇଯାଇଥିବା ବେଳେ ସସ୍ମିତ ପାତ୍ରଙ୍କ ମୌନକୁ ନେଇ ଉଠୁଛି ପ୍ରଶ୍ନ । ଗୋଟିଏ ପଟେ ସସ୍ମିତଙ୍କ ବିରୋଧରେ ଦଳରେ ବିଦ୍ରୋହର ନିଆଁ ଜଳୁଛି ଆଉ ଗୋଟିଏ ପଟେ ବିଦେଶ ଗସ୍ତରେ ଯାଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରି ସସ୍ମିତ ବିଦେଶ ଗସ୍ତରେ ରହିଥିବା ସୂଚନା ଦେଇଛନ୍ତି ।
ଏପଟେ ନବୀନ ନିବାସରେ ସସ୍ମିତଙ୍କୁ ନେଇ ଝଡ ସୃଷ୍ଟି ହେବାରେ ଲାଗିଛି । ଦଳର ସଭାପତିଙ୍କ ନିକଟରେ ବରିଷ୍ଠ ନେତାମାନେ ଫେରାଦ ହେଉଛନ୍ତି ତ । ବାକି ରାଜ୍ୟସଭା ସାଂସଦମାନେ ମଧ୍ୟ ଏ ନେଇ ଗଣମାଧ୍ୟମରେ ମୁହଁ ଖୋଲିଲେଣି । ତେବେ ଦେଖିବାକୁ ବାକି ରହିଲା କେବେ ନବୀନ ନିବାସରେ ପହଞ୍ଚୁଛନ୍ତି ଡଃ ସସ୍ମିତ ପାତ୍ର ଏବଂ ବିଜେଡି ସୁପ୍ରିମୋ ତାଙ୍କ ବିରୁଦ୍ଧରେ କେଉଁ ଆକ୍ସନ ନେଉଛନ୍ତି ?