ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ ଯାହାକୁ ନେଇ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ହେବ ଜୋରଦାର ପ୍ରତିଦ୍ୱନ୍ଦିତା । କିଏ କେଉଁ ଆସନରୁ ଲଢିବେ ତାହାକୁ ନେଇ ଏବେଠାରୁ ଦେଖାଗଲାଣି ବିବାଦ । ଏହାରି ଭିତରେ ସାମନାକୁ ଆସିଛି ଏକ ବିସ୍ପୋରକ ତଥ୍ୟ । କଂଗ୍ରେସ ବିଧାୟକ ନରସିଂହ ମିଶ୍ର 2024 ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରିବେ ନାହିଁ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ହଁ ଦର୍ଶକବନ୍ଧୁ ଆମେ କହୁଛୁ କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ରଙ୍କ କଥା । 24ରେ ନିର୍ବାଚନ ଲଢିବେ ନାହିଁ ନରସିଂହ । ସାମ୍ବାଦିକମାନେ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ସେ କହିଥିଲେ ନିଜର ମାନସିକ ଦୃଷ୍ଟିକୋଣରୁ ନିର୍ବାଚନ ନ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ବୟସ 83 ଛୁଇଁ ଥିବାରୁ ସେ ରାଜନୀତିରୁ ଅବସର ନେବା ପାଇଁ ଚାହୁଁଛନ୍ତି କିନ୍ତୁ ଏ ବିଷୟରେ ଦଳ କେଉଁ ନିଷ୍ପତି ନେବ ସେ ଅପେକ୍ଷାରେ ରହିଛନ୍ତି ନରସିଂହ । ଆହୁରି ମଧ୍ୟ କହିଥିଲେ ଯେ ସେ ଅନ୍ୟ କୌଣସି ଦଳକୁ ଯିବାର ସମ୍ଭାବନା ମଧ୍ୟ ନାହିଁ । ଦୀର୍ଘ 50 ବର୍ଷ ଧରି ରାଜନୀତିରେ ରହି ଲୋକଙ୍କ ସେବା କରିଛନ୍ତି । ନିର୍ବାଚନ ନ ଲଢିଲେ ମଧ୍ୟ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ।

ଗଣମାଧ୍ୟମର ପ୍ରଶ୍ନ ଥିଲା ଯେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢିବେ କି ନାହିଁ । ଏହାର ଉତ୍ତରରେ ନରସିଂହ କହିଥିଲେ ରାଜନୀତି କରିବା ପାଇଂ କାହାକୁ ମନା ନାହିଁ । ସେ ସାବାଳକ ନିଜ ଇଚ୍ଛାନୁଯାୟୀ ନିଷ୍ପତ୍ତି ନେବ । ଯେଉଁ ଦଳ ତାକୁ ଟିକେଟ ଦେବ ସେହି ଦଳରୁ ସେ ନିର୍ବାଚନ ଲଢିବ । କିନ୍ତୁ ତାଙ୍କର ବ୍ୟକ୍ତିଗତ ଇଚ୍ଛା କଂଗ୍ରେସରୁ ତାଙ୍କ ପୁଅ ନିର୍ବାଚନ ଲଢୁ ।

ତେବେ ଦେଖିବାକୁ ବାକି ରହିଲା କେଉଁ ଦଳରୁ ସମରେନ୍ଦ୍ରଙ୍କୁ ମିଳିବ ଟିକେଟ୍ ? ନରସିଂହଙ୍କ ଭଳି ଜଣେ ଟାଣୁଆ ନେତା ଅବସର ନେବା ପରେ ତାଙ୍କ ପୁଅ ସମରେନ୍ଦ୍ର ରାଜନୀତିରେ ନରସିଂହଙ୍କ ଭଳି ସ୍ଥାନ ସୃଷ୍ଟି କରି ପାରିବେ କି ନାହିଁ ?