ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଥିବା ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସାଙ୍ଘାତିକ ଅଭିଯୋଗ ଆସିଛି । ଜଳସମ୍ପଦ ବିଭାଗର ଦୁର୍ନୀତି ଦାଣ୍ଡରେ ପଡ଼ି ହାଟରେ ଗଡୁଛି। କେନ୍ଦୁଝର ଜିଲ୍ଲାର ବିଦ୍ୟାଧରପୁର ବ୍ୟାରେଜ ଡିଭିଜନରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଛି ବିଦ୍ୟାଧରପୁର ବିକାଶ ମଞ୍ଚ। ଏନେଇ ମଞ୍ଚ ପକ୍ଷରୁ ମୂଖ୍ୟମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ, ସଚିବ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ତେବେ ବିଦ୍ୟାଧରପୁର କେନାଲ ଡ଼ିଭିଜନରେ ୩ଟି ସବ ଡିଭିଜନ ଥିବାବେଳେ ଗତ ୩ବର୍ଷ ଭିତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଶେଷ କରି ଖଇରା ଓ ହଦଗଡ଼ ସବଡିଭିଜନରେ ସରକାରୀ ଅନୁଦାନ ଖର୍ଚ୍ଚ କରାନଯାଇ ହରିଲୁଟ ହୋଇଥିବା ନେଇ ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏପରି ଢଙ୍ଗରେ ଲୁଟ ହୋଇଛି ଯେ ସାଧାରଣ ଲୋକମାନେ ଜାଣିବା କଷ୍ଟକର। ବିଧାନସଭାରେ ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତରରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ତଥ୍ୟ ପରେ ଏହି ଘଟଣା ପଦାକୁ ଆସିଛି।ମାଟିକାମ, ସ୍ଲୁଇସ୍ ଗେଟ ମରାମତି, କେନାଲ ଡିସିଲିଂ, ବନ୍ଧ ସଶକ୍ତୀକରଣ, ଭଙ୍ଗା ମରାମତି ଏବଂ ନିର୍ମାଣ ଭଳି କାର୍ୟ୍ୟ ପାଇଁ ମିଥ୍ୟା ବିଲ୍ ପ୍ରସ୍ତୁତ କରା ଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।
ଏହି ଡ଼ିଭିଜନରେ ଅଣ ଯୋଜନାରେ ୪୫୭ଟି କାର୍ୟ୍ୟଦେଶ ପ୍ରଦାନ କରାଯାଇଛି। ଯେଉଁଥିରେ କି ଜଣେ ଜଣେ ଠିକାଦାରଙ୍କୁ ଏକାଧିକ କାମ ଦିଆଯାଇଛି। କିନ୍ତୁ ଏଠାରେ ମୁଠାଏ ମାଟି ପଡ଼ି ନଥିବା ଅଭିଯୋଗ କରିଛନ୍ତି। ଖାଲି ଏହି ଗୋଟିଏ କି ଦୁଇଟି ନୁହଁ ଏପରି ଅନେକ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏସମ୍ପର୍କରେ ବିଦ୍ୟାଧରପୁର ଅଧିକ୍ଷଣ ଯନ୍ତ୍ରୀ ଭାଗିରଥୀ ପାତ୍ର କ୍ୟାମେରା ସମ୍ମୁଖରେ ମତାମତ ଦେବାକୁ ମନା କରିଥିବା ବେଳେ କିଛି କୁଚକ୍ରୀ ଲୋକଙ୍କ ସ୍ୱାର୍ଥରେ ବାଧା ଉପୂଜିବାରୁ ଏପରି ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି। । ସବୁ ଅଭିଯୋଗର ଉଚ୍ଚ ସ୍ତରୀୟ ତଦନ୍ତ ହେଉ ସବୁ ସତ ଜଣା ପଡ଼ିବ ବୋଲି ସେ କହିଛନ୍ତି।